ଈଶ୍ଵର ବି ବନ୍ଦି ଏବେ
ଈଶ୍ଵର ବି ବନ୍ଦି ଏବେ
ଆଖି ବନ୍ଦ କରିବା ମାତ୍ରକେ
ମାଡ଼ିବସୁଛନ୍ତି
ଯେତେ ଅଲୋଡ଼ା ସ୍ଵପ୍ନ ।
ଜରାଗ୍ରସ୍ତ ଜହ୍ନ, ଶୋକଗ୍ରସ୍ତ ସୂର୍ଯ୍ୟ,
ଘନୀଭୂତ ଅନ୍ଧାରର ରାଜତ୍ୱ ।
ଈଶ୍ଵର ବନ୍ଦି
ପରିଚିତ ବ୍ୟାଧର ଫାଶରେ,
ମୁକୁଳିବାର ଯୁ' ନାହିଁ ।
କ'ଣ ବା କହିବେ କାହାକୁ -
ସେ ନିଜେ ତ
ମୃଗୁଣୀକୁ ଦେଖି ମୋହାସକ୍ତ,
ଭକ୍ତର ଆବେଗରେ ଭାବାସକ୍ତ ।
ସମୟର ନିଷ୍ଠୁର ଚାବୁକ ମାଡ଼ରେ
ନିଜ ଶବକୁ କାନ୍ଧରେ ବୋହି
ଚାଲିଛି ପଥିକ ।
ଅଳ୍ପ ବୟସେ
ଝରିପଡୁଛି ଫୁଲ,
ପାକଳ ହେଉଛି ଫଳ ।
ଉଡନ୍ତା ଚଢ଼େଇର ପର ଛିଣ୍ଡିପଡୁଛି
ଉଡିବା ଆଗରୁ ।
ଏସବୁକୁ ଦେଖି
ଈଶ୍ଵର ବି ଚାହୁଁନି ମୁକୁଳିବା ପାଇଁ,
ଦେଉଳର ଅଦେଖା ବନ୍ଧନରୁ ।।