ସାଇତା ସ୍ମୃତି
ସାଇତା ସ୍ମୃତି
ଜୀବନରେ କେତେ ଫଗୁଣ ଗଲାଣି
ଆଜି କ୍ଳାନ୍ତ ବୋଲି ଭାବିବନି
ତୁମ ସ୍ମୃତି ସବୁ ସାଇତି ରଖିଛି
ଧିରେ ଧିରେ ଭାର ବଢିଲାଣି
ଚାହିଁଲେ ବି ଦୂରେ ରଖି ପାରୁନି ।
ଅନେକ କଷ୍ଟ ହେଉଛି
ଯନ୍ତ୍ରଣା ବି ମୁଣ୍ଡ ଟେକୁଛି
ତା’ ସାଙ୍ଗକୁ ଆଖିରେ ମେଞ୍ଚାଏ ଲୁହ
ଏ ସବୁ କାହିଁକି ଦେଲ କୁହ ?
ସକାଳର ଆବଶ୍ୟକ ପ୍ରତ୍ୟକ ମଣିଷ ପାଇଁ
ହେଲେ ମଉଳା ସଞ୍ଜ କେବଳ ଥକି ପଡିଥିବା
ମଣିଷଙ୍କ ପାଇଁ, ହାରି ଯାଇଥିବା ଜୀବନ ପାଇଁ
ଏ କଥା ତୁମେ ବୁଝାଇ ଦେଲ
ଅସ୍ତଗାମୀ ସୁର୍ଯ୍ୟ ପରି ଫେରିଗଲ
ଲୁହର ଖାଣ୍ଡବ ବନରେ ଏକା ଛାଡି ଦେଲ
ଏମିତି କାହିଁକି କଲ ?
ସଂନ୍ଧ୍ୟା ଯାଇ ରାତି ହୁଏ
ଅନ୍ଧକାର ଶୋଭା ପାଏ
ବିଜୁଳି ଚମକ ପରି
ମୋ ସାମ୍ନାକୁ ଚାଲିଆସ
ଅନ୍ଧକାରକୁ ଭେଦକରି ।
ସ୍ବପ୍ନ ଆଉ ବାସ୍ତବତାର ଅନ୍ତର
ମୁଁ ଜାଣି ନ ଥିଲି
ତୁମେ ଜଣାଇ ଦେଲ
ସ୍ବପ୍ନ କେବେ ବାସ୍ତବତାର ରୂପ ନିଏନି
କେବଳ ଦୁଃଖ ଦିଏ, ଯନ୍ତ୍ରଣା ଦିଏ ।
ମୋ ସମ ତାଳରେ ଯିବାକୁ
ହାତଧରି ଚାଲୁଥିଲ
ସମୁଦ୍ରର ବେଳା ଭୁଇଁରେ
କେତେ ବାଲିଘର ତୋଳୁଥିଲ
ହେଲେ କ'ଣ କଲ ?
ମୋତେ ଅନ୍ଧକାରକୁ ଠେଲିଦେଇ
ସୁଖର ଅନ୍ବେଷଣରେ ବାହାରି ଗଲ
ମନରେ ବିଷାଦର ସ୍ବର ଭରିଦେଲ
କେଉଁ ଭୁଲର ସାସ୍ତି ଦେଲ
ଏମିତି କାହିଁକି କଲ ?
ନିଜକୁ ବାରମ୍ବାର ପଚାରୁଛି
କ'ଣ ପାଇଁ ହାରିଗଲି
ନିଜକୁ ପ୍ରତିଷ୍ଠିତ କରି ପାରିଲିନି ବୋଲି
ନା ତୁମ ବଗିଚାରେ ବାସହୀନ
ମଉଳା ଫୁଲଟେ ଥିଲି ବୋଲି ।
ତୁମେ ଫେରି ଆସ
ମୋ ପାଇଁ ନୁହେଁ
କେବଳ ତୁମ ସ୍ମୃତିକୁ ମୋ ପାଖରୁ ନେଇ ଯାଅ
ମୋତେ କଣ୍ଟକର ଶେଯରେ ଶୁଆଇ ଦିଅ ।