ମାୟାମୃଗ
ମାୟାମୃଗ
ରାମାୟଣ କାହାଣୀର
କଳଙ୍କିତ ଚରିତ୍ର ମୁଁ
ନାମ ମୋର ମାରୀଚ ଅସୁର,
ଶ୍ରୀରାମଙ୍କ ଶରାଘାତେ
ମରି ବି ଆଜି ବଞ୍ଚିଛି
ଛଳନାର ରୂପଧରି
ଭଦ୍ରମୁଖା ମଣିଷ ଭିତର ।
ଇତିହାସ ପୃଷ୍ଠାରେ ମୁଁ
ଛଳନାର ମୁଖା ପିନ୍ଧି
ସାଜିଥିଲି ଜୟଚନ୍ଦ୍ର
ପରାଜିତ କରିବାକୁ
ରାଜା ପୃଥ୍ଵୀରାଜ,
ପଲାସୀ ଯୁଦ୍ଧ କ୍ଷେତ୍ରରେ
ସାଜି ମୁଁ ମୀରଜାଫର
ହରାଇଲି ବଙ୍ଗଳାର
ନବାବ ସିରାଜ ।
ସେଦିନ ପଞ୍ଚବଟୀରେ
ଦଶାନନ କ୍ରୋଧାଗ୍ନିରୁ
କରିବାକୁ ନିଜ ପ୍ରାଣରକ୍ଷା,
ନିଜ ଇଚ୍ଛା ବିରୁଦ୍ଧରେ
ସାଜିଥିଲି ମାୟାମୃଗ
ପିନ୍ଧିଥିଲି ଛଳନାର ମୁଖା ।
କିନ୍ତୁ ମୁଁ ପାରୁନି ବୁଝି
ହେ ସଭ୍ୟ ଶିକ୍ଷିତ ସମାଜ!
କାହାର ପ୍ରରୋଚନାରେ
ପାଳିଅଛ ତୁମେ ମୋତେ
ନିଜ ଅନ୍ତରରେ,
ଛଳନାର ମୁଖାପିନ୍ଧି
ସାଜୁଅଛ ମାୟାମୃଗ
କାହାର ଭୟରେ ।
ତୁମେ ସତ୍ୟର ଆଲୋକ
ତୁମେ ପରା ଅମୃତର ପୁତ୍ର!
କାହିଁକି ବିବଶ ହୋଇ
ସ୍ଵାର୍ଥପରତା ରୂପକ
ଦଶାନନ ହାତେ
ଛଳନା କରୁଛ ତୁମେ
ନିଜର କର୍ତ୍ତବ୍ୟ ଆଉ
ସମାଜର ସମ୍ପର୍କ ସହିତ?
ମନେରଖ ହେ ମଣିଷ!
ତୁମ ଏ ଛଳନା ପାଇଁ
ଅପବାଦ କଳଙ୍କରେ
କଳଙ୍କିତ ହୋଇପାରେ
କେଉଁ ଏକ ସତୀର ପଣତ,
ଧ୍ଵଂସ ହୋଇ ଯାଇପାରେ
ଆଉ କେଉଁ ସୁବର୍ଣ୍ଣର ଲଙ୍କା,
ଡରନାହିଁ ଦଶାନନେ
ସାଜନା ମାୟା ମିରୀଗ
ଫିଙ୍ଗି ଦିଅ ଛଳନାର ମୁଖା ।
ସମାଜର ହିତ ପାଇଁ
ଇତିହାସ ପୁରାଣରୁ
ଯଦି କିଛି ନ କରିବ ଶିକ୍ଷା,
ରହିଯିବ ଯୁଗେ ଯୁଗେ ମୋ ଭଳି
ତୁମେ ଏକ ପ୍ରଶ୍ନବାଚୀ ହୋଇ
ପିନ୍ଧିଣ ନିଜ ମଥାରେ
କଳଙ୍କିତ ନାୟକର ଟୀକା ।