ଶେଷର ସେଦିନ
ଶେଷର ସେଦିନ
ଶେଷର ସେଦିନ
ହେ ମହାମାନବ, ଆଉ ଡେରି ନାହିଁ
ହୁଅ ଏବେ ସାବଧାନ,
ମୃତ୍ୟୁ ଘଣ୍ଟା ବାଜି ଉଠିଲାଣି
ହେବ ଆମ ଅବସାନ ।
ତପ୍ତ ଅବନୀ, ଉଷ୍ଣ ପବନ
ଗରଳଯୁକ୍ତ ପାଣି
ଶେଷର ସେଦିନ ହେଲାଣି ହାଜର
ଅବାକ ହୁଅନି ଶୁଣି ।
ବାୟୁ ପ୍ରଦୂଷଣ, ଜଳର ଦୂଷଣ
ଅରଣ୍ୟରାଜି ଧ୍ଵଂସ
ସବୁଠି କେବଳ ବୃଦ୍ଧି ହେଉଚି
ମଣିଷ ଜାତିର ବଂଶ ।
ପଶୁପକ୍ଷୀଙ୍କୁ ଗୃହହୀନ କରି
ସୁନ୍ଦର ଧରାବକ୍ଷେ
ପରମ ସୁଖରେ ଆମେ ନିଦ୍ରିତ
ଆମ ବାସ ଗୃହ କକ୍ଷେ ।
ବିଜ୍ଞାନ ଆଜି ଏତେ ଉନ୍ନତ
ମଣିଷ ପରମ ବିଜ୍ଞ
ସେଥିପାଇଁ ଆଜି, ସବୁ କିଛି ବୁଝି
ପରିବେଶ ନାଶ ଯଜ୍ଞ ।
ଧର୍ତ୍ତୀ ମାତାକୁ ଦୋହନ କରିକି
ପାନ କରୁଅଛୁ କ୍ଷୀର
ସଭ୍ୟ ସମାଜ ଗଢିଅଛୁ ଆମେ
ଉନ୍ନତ ଆମ ଶିର ।
କେତେ କାରଖାନା କେତେ ରାଜପଥ
ଗଗନ ଚୁମ୍ବୀ ଘର
ହରେକ ପ୍ରକାର ଗାଡି ସମ୍ଭାର
ଚମକିତ ମହାନଗର ।
ଦେଖ ଦୁରଭାଷ ବାଟରେ ଘାଟରେ
ପବନରେ ଉଡେ ବାରତା
ପିଲାଛୁଆ କେତେ ଆଗୁଆ ହେଲେଣି
ଦେଖ ସେମାନଙ୍କ ଆଧୁନିକତା ।
ହେ ମହାମାନବ ତୁମମାନଙ୍କ
କେମିତି ଭାଙ୍ଗିବ ନିଦ
ସମୟ ଗଲାଣି, ଭାବିବ କି ନାହିଁ
ଜଗତର ହିତାହିତ ।
କି ହେବ ଆମର ଗଣକ ଯନ୍ତ୍ର (କମ୍ପ୍ୟୁଟର)
ଆକାଶେ ଉଡେଇ ଯାନ
ଆଗାମୀ ଦିନରେ ଯଦି ନ ରହିଲା
ଏହି ପୃଥିବୀରେ ପ୍ରାଣ ।
ମୋତେ ଦୁଃଖ ଲାଗେ ସବୁବେଳେ ଦେଖେ
ବାବୁମାନେ ବଡ ବ୍ୟସ୍ତ
ଆଗାମୀ ଦିନର ବିପଦର କଥା
ଜାଣିବି ନୁହଁନ୍ତି ତ୍ରସ୍ତ୍ର ।
ଧନ୍ୟ ମାନବ, ହେ ନର ଦାନବ
ଧନ୍ୟ ହେ ଜ୍ଞାନପାପୀ
ମୁଁହେ କେତେ କଥା, ହଜାର ବାରତା
ଦୁନିଆ ଉଠୁଛି କମ୍ପି ।
ନିଅ ସମସ୍ତେ ଏମିତି ଶପଥ
ହେ ଆମ ଜଗତବାସୀ
ଧରି ସବା ହାତ, ବିତର୍କ ବିବାଦ
ଛାଡି କୁହ ହସି ହସି
ଆଉ ମୁଁ ଚାହେଁନା ହେବାକୁ ମୋଟେ ହିଁ
ଆଧୁନିକତାର ଚାଳକ,
ଆଉ ମୁଁ ଚାହେଁନା ଦେଖିବାକୁ ମୋଟେ
ସୁସଭ୍ୟତାର ଆଲୋକ,
ଦୂର ହେଇ ଯାଉ ଏହି ସଭ୍ୟତା
ଫେରି ଆସୁ ସେ ଅରଣ୍ୟ
ପରିଚ୍ଛନ୍ନ ବାବୁ ନ ହେଇକି
ମୁଁ ହେବାକୁ ଚାହେଁ ବନ୍ୟ ।