ଚୁପକିନା
ଚୁପକିନା
ଚୁପକିନା
(କ୍ରିୟା ବିଶେଷଣ; ବିନା ପ୍ରତିବାଦ)
ଚୁପକିନା ଶୋଇପଡ଼
(ରାତି ବେଶୀ ହେଲା)
ଚୁପକିନା ପଢ଼
(ତୁମେ ଏକୁଟିଆ ବଡ଼ ଲେଖକ ନୁହଁ)
ଚୁପକିନା ବାଥରୁମ ଯା
(ଅଗାଧୁଆ ହେବାର ଦ୍ଵିତୀୟ ଦିନ ଆଜି)
ଚୁପକିନା ଯାହା ପଚାରୁଛି କୁହ
(ବେଶୀ ବୁଲେଇ କୁହନି)
କି ଦେବୀ କି ଗୋ ତୁମେ ?
ନିଜ ସୃଷ୍ଟିକୁ ସଙ୍କୁଚିତ କରିଦିଅ କିଆଁ
ମୋ ଚାରିପଟେ ?
କେବେ ଭାବିନି ତୁମ କଥା
ବନ୍ୟା ଆସିଲେ
ନଈ କୁଳ ସାହାଡ଼ା ପରି
ତୁମେମେ ବି ବୁଡି ଯାଅ
ଗୋଳିଆ ପାଣିରେ
ବେକ ଯାକେ ।
ତଥାପି ଉହାଡରେ ରଖ ମୋତେ
ଯେବେ ମୁଁ କାଦୁଅରେ
ପୋତି ହୋଇପଡୁଥାଏ
ମହାଦେବ ପରି ।
ସୃଷ୍ଟି ସ୍ଥିର ହେଲେ
ଆବିର୍ଭୁତା ହୁଅ ତୁମେ
ଆଉ ପ୍ରଥମ ପୂଜାପୁଷ୍ପ
ତୁମେ ହିଁ ଚଢାଅ
ମୋ ଉପରେ ।
"ତୁମେ ନିଜକୁ ବଡ଼ ଭାବୁଛ ?
ତୁମଠୁଁ ବି ଆଉ କିଏ ବଡ଼ ଥାଇପାରେ
ଭାବିଛ ତୁମେ ନିଜେ
ଶବ୍ଦର ଯାଦୁକର ?"
ମୃଦୁ ଚେତାବନୀ ଟିଏ
ଝୁଲାଇ ଦିଅ ଛାମୁଆ
ମୋ ଅନ୍ଧଆଖିର କପାଟରେ -
"ଆସିବ ଆଉ କେହିଜଣେ
ହରାଇବ ତୁମକୁ
ତୁମ ପ୍ରିୟ ଶବ୍ଦର ଖେଳରେ "
ଅନୁଭବ କରାଇଦିଅ
ମତେ ମୋ ସୀମା ସହ
ମୋ କାଚକଡ଼ା ଆତ୍ମବଡିମାକୁ
ଟିକେ ବି ନ ଛୁଇଁ ।
ଜାଣିନି କେଉଁ ଦେବତାର
ଅର୍ଘ୍ୟ ଥିଲା ତୁମ ହାତେ
କେଉଁ ମନ୍ଦିରକୁ ଯାଉଥିଲ
ମତେ କିନ୍ତୁ ଦିଶୁଥିଲା
ଅଦ୍ଭୁତ, ଅଲୌକିକ ଚିତ୍ରଟିଏ
ଗର୍ଭଗୃହର ଶୂନ୍ୟ ବେଦୀଟିଏ
ତା ଚାରିପଟେ ସ୍ନେହ ପ୍ରେମ ଦୟା
ଆଉ କରୁଣାର ହୀରଣ୍ମୟ ତୋରଣ
ଠିକ ତୁମ ପରି କେହି ବସିଥିଲା
ଈଶ୍ୱରୀର ଗାମ୍ଭୀର୍ଯ୍ୟ
ମୁହଁରେ ଫୁଟାଇ ।
ଆଖି ଖୋଲୁ ଖୋଲୁ
ଅନୁଭବ କରେ କାହାର କଅଁଳ ଆଉଁସା
ମୋ ଚାରିପଟେ ବୁଲିଗଲେ ସିଏ
ମୋ ଦେହେ ବାଜେ
କେଉଁ ମାନବୀର ଓଦାକେଶ ।
ଏ ଯାଏଁ ଯାହା ଘଟିଥିଲା
ତାକୁ ସ୍ୱପ୍ନ ବା କଳ୍ପନା ଥିଲା ଭାବି
ନିଜକୁ ସହଜ କରିନିଏ ।
ତୁମେ ସେହି ମାନବୀ?
ନିଜ ମନ୍ଦିରରେ ନିଜେ ଉପାସିକା ?
ବୁଝି ପାରେନା
ତୁମ ହାତରେ ଦେଖେ
ମନ୍ଦିରରୁ ଫେରିଥିବା ସେହି ପୂଜାଥାଳି
ସେତେବେଳେ ମତେ ନ ପଚାରି
ଗୁଞ୍ଜି ଦିଅ
ମୋ ମୁହଁରେ କିଛି
ଉଁ ଚୁଁ କରିବା ପୂର୍ବରୁ କୁହ
"ଚୁପକିନା ପାଇ ନିଅ"
(ତୁମ ଜାଣିବା ଦରକାର ନାହିଁ)