ପ୍ରେମ-ସ୍ପର୍ଶ
ପ୍ରେମ-ସ୍ପର୍ଶ
ରୋମାଣ୍ଟିକ କବି ମାୟାଧର ମାନସିଂହ
ସେଦିନ,ନୀରବ-ଶାନ୍ତ ନିଶୀଥ ବଳଭୀ,
ପରିପୂର୍ଣ୍ଣ-ଆଲୋକିତ,ଚନ୍ଦ୍ର-କର ଲଭି
ସହସା କାହାର ମୃଦୁ କଙ୍କଣ-ଝଙ୍କାରେ
ହୋଇଲା ଝଙ୍କୃତ ଧୀରେ ! ଚକିତ-ପ୍ରକାରେ
ଚାହୁଁ ମୁଁ, ନୟନ ମୋର ବନ୍ଦୀ ହେଲା କ୍ଷଣେ
କାହାର ଶ୍ରୀକର-ପତ୍ରେ ;କନକ କଙ୍କଣେ
ଗଣ୍ଡେ ମୋ ନିହିଣ ଦାଗ,କର୍ଣ୍ଣେ କେ ପୁଚ୍ଛିଲା
'କିଏ କହ' 'କିଏ କହ' ;ଶ୍ରବଣେ ପଶିଲା
ସେ ମଧୁ ଅସ୍ଫୁଟ ଧ୍ୱନି ମର୍ମ-ପଥେ ମୋର,
ପରିଚିତ ସ୍ପର୍ଶ, ଆଉ ପରିଚିତ ସ୍ୱର
ସାହସ ଆଣିଲା ବକ୍ଷେ । କର ନେଇ ଟାଣି,
ଧୀରେ ସେ ସୁନ୍ଦର ମୁଖ ବକ୍ଷେ ରଖି ଆଣି,
ଅଘ୍ରାଣିଲି ପୁଷ୍ପ-ଗନ୍ଧ ମଞ୍ଜୁଳ କବରୀ
ଏକଇ ଆଘ୍ରାଣେ ପାହିଗଲା ବିଭାବରୀ ।
ସମାପ୍ତ