ଉଚିତ ବନ୍ଧୁ
ଉଚିତ ବନ୍ଧୁ
ଲହୁ ଝୁଣିବାକୁ ଦେହରେ ଯେମିତି
ଲାଗେ ପରଜୀବୀ ଜୋକ
ସୁଖ ସମ୍ପଦରେ ଆପଣା ହିତରେ
ପାଖରେ ମିଳିବେ ଲୋକ ।
ସର୍ବଦା ଗାଇବେ ମୁହଁରେ ପ୍ରଶଂସା
ସ୍ଵାର୍ଥ ରହିଥିବା ଯାଏଁ
ସାଧନ ହୁଅନ୍ତେ ନିଜ ବାଟେ ନିଜେ
ଅପସରି ଯିବେ ଛାଏଁ ।
ଉପୁଜିଲେ ବାଧା ସୁଖେ ଅବା ମାନେ
ନିନ୍ଦା ଅପମାନ ଗାଇ
କୁତ୍ସା ରଟନାରେ କରିବେନି ହେଳା
ସ୍ଵଜନ ଗହଣେ ଥାଇ ।
ଜୀବନର ପଥେ ମିଳିବେ ଏମିତି
ଅନେକ ସହଜ ସାଥୀ
ସୁଖର ବେଳରେ ବନ୍ଧୁ ବୋଲାଇବେ
ଭୋଗ ବିଳାସରେ ମାତି ।
ସମ୍ପଦ ସରିଲେ ବିପତ୍ତି ପଡିଲେ
ମିଳିବନି କାହା ଦେଖା
ଚାହୁଁ ଚାହୁଁ ତାଙ୍କ ମାନସ ପଟଳୁ
ଲିଭିଯାଏ ଭାବ ରେଖା ।
ବନ୍ଧୁ ଚିହ୍ନିବାର ଅସଲ ସମୟ
ଦୁଃଖ ପଡିଥିବ ଯେବେ
ସାହା ହେବା ପାଇଁ ବଢେ ଯାହା ହାତ
ପ୍ରକୃତ ବନ୍ଧୁ ସେ ତେବେ ।
ମାଗିବା ଆଗରୁ ଅଯାଚିତ ଭାବେ
ବଢାଇ ନିଜର ହାତ
ବିପଦ ସାଗରୁ ପାରି କରିବାକୁ
ଧରି ନେଇଥାଏ କାତ ।
ଧନ ଜନ ମନ ସମର୍ପଣ କରେ
ନିଶ୍ଚୟ ସେ ଯଥାଶକ୍ତି
ବନ୍ଧୁ ଭାବ ନେଇ ବନ୍ଧୁକୁ ତାରଇ
ଧନ୍ୟ ତା'ର ଅନୁରକ୍ତି ।
ଉତ୍ତମ ବାନ୍ଧବ ସମ୍ମୁଖରେ କହେ
ଥିଲେ ଅବଗୁଣ ଦୋଷ
ଅନ୍ୟ କାହା ମୁଖୁ ମିତ୍ର ନିନ୍ଦା ଶୁଣି
ଅନ୍ତରେ ଭରଇ ରୋଷ ।
ଜଟିଳ ସମସ୍ୟା ଘେରରେ ରହିଲେ
ବନ୍ଧୁ ହିଁ ଦେଖାଏ ବାଟ
ଉଚିତ ବନ୍ଧୁଙ୍କୁ ଜାଣିବା ବି ଏତେ
ନୁହଁଇ ସହଜ ପାଠ ।
ପ୍ରସନ୍ନ କୁମାର ମାଦଳା