ଶହୀଦ
ଶହୀଦ
ନିଃଶବ୍ଦ ରଜନୀ ଘୁଂଗୁଡି ମାରୁଛି
ଚିଂଗାରୀ ସୁର ତାଳରେ,
ଶମଶାନ ଜୁଇ ନିତି ଶବ ଖାଇ
ହାଇ ମାରୁଛି ନିଦରେ ॥
ଜୁଇ ପାଖେ ମାଆ ପୁତ୍ରହରା ସାଜି
ଛାତିରେ ଭରିଛି କୋହ,
ଜଠର ଜୁଇରେ ମନ ତା ପୋଡୁଛି
ଆଖିଲୁହେ ଭିଜେ ଦେହ ॥
ମାତୃଭୂମି ଲାଗି ବିସର୍ଜି ଜୀବନ
ସହୀଦ ଚିର ଅମର,
ନବ ବଧୂ ଶଂଖା ସିନ୍ଦୁର ହରାଇ
ପିଉଛି ବିଶ ଜହର ॥
କର୍ତ୍ତବ୍ୟ ରଥରେ ରଥାରୁଢ ହୋଇ
ସୀମାନ୍ତେ ଦେଲା ଜୀବନ,
ଶହୀଦ ଶବଟା ଲଭି ଜନ୍ମମାଟି
ଦେଶେ ହୋଇଲା ମହାନ ॥
କୋଳଶୂନ୍ୟ କରି ବୃଦ୍ଧା ଜନନୀର
ହସୁଥିଲା ସେ ଜୁଇରେ,
ଶ୍ୱେତବସ୍ତ୍ର ଦେଇ ପ୍ରାଣର ପତ୍ନୀଂକୁ
ହଜିଗଲା କାଳନୀରେ ॥
ବରଫ ଗୁହାକୁ ଆଦରି ନେଇ ସେ
ଦିବାନିଶି ଏକକରି,
ଆହାର ନିଦ୍ରାକୁ ପଛରେ ପକାଇ
ନାଶୁଥିଲା ସେ ବଇରୀ ॥
ଜାତିପ୍ରେମ ବହ୍ନି ପ୍ରଜ୍ୱଳିତ କରି
ରକ୍ତେ ଫୁଟାଇଲା ଜବା,
ଉଷୁମ ରକ୍ତରେ ପ୍ରତିଶୋଧ ବହ୍ନି
ଉଡାଉ ଥିଲା ତ୍ରିରଂଗା ॥
ଶତୃ ବକ୍ଷ ଚିରି ରକ୍ତପାନ କରି
ସାଜିଥିଲା ପଶୁପତି,
ଭାରତ ମାଆର ସୁଯୋଗ୍ୟ ସନ୍ତାନ
ଗୁଣ ଗାଉଛି ଧରତୀ ॥
ଜାଗିଉଠ ସର୍ବେ ହେ ସୁପ୍ତ ଜନତା
ଜାଗିଉଠୁ ଦେଶପ୍ରେମ,
ଦେଇ ଶ୍ରଦ୍ଧାଂଜଳି ଶହୀଦ ଆତ୍ମାଂକୁ
ରଚ ନବ ବୃନ୍ଦାବନ ॥