ବାହାଘର
ବାହାଘର
ବେଦିରେ ବସିଲି କଉଡ଼ି ଖେଳିଲି
କନିଆଁ କରିଲି ତୋତେ
ସୁଖ ହେଉ ଦୁଃଖ ମୋ ସାଥେ ରହିବୁ
ଭୁଲ ବୁଝିବୁନି ମୋତେ ।
ପତି ପତ୍ନୀ ସିନା କରିଲା ଆମକୁ
ବ୍ରାହ୍ମଣର ମନ୍ତ୍ରପାଠ
ପାଦ ଚାପି ଚାପି ଚାଲିବାକୁ ହେବ
ସଂସାର ନଈର ତୁଠ ।
ବେଦୀ ଚାରିପଟେ ଘୁରି ଗଲେ ସିନା
ହୋଇଥାଏ ବାହାଘର
ମନ ସାଥେ ମନ ମିଶିଗଲେ ପରା
ହେବ ସୁଖୀ ପରିବାର ।
ଆମେ ଦୁହେଁ ସିନା ପତି ପତ୍ନୀ ବୋଲି
ଅଗ୍ନିକୁ ରଖିଲେ ସାକ୍ଷୀ
ଜୀବନର ପଥ ସୁଖରେ ଶାନ୍ତିରେ
ଚାଲିବାକୁ ଅଛି ବାକି ।
ମଥାରେ ତୋହର ସିନ୍ଦୂର ଦେଇଛି
ହାତକୁ ଦେଇଛି ଚୁଡି
ପୀରତି ତେଲକୁ ଯେତେ ଢାଳୁଥିବା
ଚାଲିବ ସଂସାର ଗାଡି ।
ତୁ ପରା ବୁଝିବୁ ମନକଥା ମୋର
ତୋତେଲୋ ବୁଝିବି ମୁହିଁ
ଯେତେ ଝଡଝଞ୍ଜା ଆସିଲେ ଜୀବନେ
ଚାଲୁଥିବା ସାଥି ହୋଇ ।
ବାହାଘର ଅଟେ ହୃଦୟ ମିଳନ
ଦୁଇ ଦେହ ଏକ ମନ
ମୁଁ ପରା ସାଜିବି ନିଶ୍ୱାସ ତୋର
ତୁ ମୋର ଛାତି ସ୍ପନ୍ଦନ ।