ଶିଶିରର ସଲାମ
ଶିଶିରର ସଲାମ
ଘାସ ଚିହ୍ନେ ଶତ୍ରୁକୁ
ଆଉ ତାର ବୁଟର ଦୁର୍ଗନ୍ଧକୁ
ଚୋର ପରି
ତାଙ୍କର ସଶଙ୍କିତ ଚାଲି
ଦଳି ଚକଟି କିପରି
ଚାଲି ଯାଇଥିଲେ
ସେଥର ସେମାନେ
ମୋ ଦେଶ ଘାସରେ
ଶିଶିରର କୋଟି କୋଟି
ମୁକ୍ତା ବିନ୍ଦୁଙ୍କୁ
ଜାନୁୟାରୀ ଶିଶିର
ଆଜି ବି ମୁକ୍ତା ମୁକ୍ତା ହୋଇ
ନେସି ହୋଇଛନ୍ତି
ପ୍ରତିଟି ଘାସରେ
ସୀମାର କଣ୍ଟା ତାର ବାଡ଼ ଏପଟେ
ଚାଲୁଛନ୍ତି ମୋ ଦେଶର ସୈନିକ
ଜବାବୀ ତୋପରେ
ଉଡେଇ ସାରିଛନ୍ତି
ଶତ୍ରୁର ଅନେକ ପୋଷ୍ଟ
ଦର୍ପରେ ମାର୍ଚ୍ଚ କରି ଚାଲିଛନ୍ତି
ବୁଟରେ ବାଜି
ହସି ହସି ଲୋଟି ପଡୁଛନ୍ତି
ସେଇ ଶିଶିର ମୁକ୍ତା ବିନ୍ଦୁ
ସଲାମ ଜଣାଇ
ଖୁସି ହେଉଛନ୍ତି
ନିଜର ପରିଚୟ ହଜାଇ
ଆଜି ସକାଳେ ଲୋଟିଗଲା
ଭୀମ ସିଂର ଶରୀର
କଣ୍ଟା ତାର ବାଡ଼ ଏ ପଟେ
କେତେ ଆତୁର ହୋଇ
ଚୁମି ଦେଉଥିଲା ମାଟିକୁ ସେ
ଚାଟି ପିଉଥିଲା
ଶିଶିରକୁ ଅମୃତ ମଣି
କିଛି ବହଳ ରକ୍ତ
ଶିଶିରରେ ପାଣିଆ ହୋଇ
ମିଶୁଥିଲେ ମାଟି ମା'ର ଛାତିରେ
ସିଂଦୂରା ଫିଟି ଆସୁଥିଲା
ଲିଭିବାକୁ ବାକି ଥିଲା
ଆଉ ଥୋପାଏ ସିନ୍ଦୂର