ମୁଁ ମୁକ୍ତି ଚାହେଁ
ମୁଁ ମୁକ୍ତି ଚାହେଁ
ପାରୁ ନାହିଁ ସହି ଏତେ ଯାତନା,
ପାରୁନାହିଁ ସହି ଏତେ କଷଣ,
ଆଉ ସହି ପାରୁନାହିଁ ତୁମ ଲୁଣ୍ଠନ,
ପାରୁନାହିଁ
ପାରୁନାହିଁ ସହି ଏତେ କଷଣ।
ତୁମ ପାଇଁ ସଳିତା ପରି ଜଳିଜଳି,
ତିଳ ତିଳ ଦଗ୍ଧ ହୋଇ,
ମୋ ଗର୍ଭରେ ରତ୍ନ ଭଣ୍ଡାରକୁ ଦେଇ,
ଦୁର୍ମୂଲ୍ୟ ମଣି ମୁକ୍ତା ଦେଇ ବି ,
ତୁମେ ମୋତେ ବନ୍ଦୀ କରି,
ମୋ ରୂପ ସୌନ୍ଦର୍ଯ୍ୟକୁ ବିରୂପ କରିଛ,
ସହିପାରୁନି,ରହିବି ପାରୁନାହିଁ,
ଖଣ୍ଡ ଖଣ୍ଡ କରି ଝୁଣିଝୁଣି,
ଖାଇସାରିବା ପରେ ବି ,
ତଥାପି ମୁଁ ମୁକ୍ତ ନୁହେଁ,
ନାନା ବାହାନା ଦେଖାଇ,
ମୋ ଉପରେ କୁଢ଼କୁଢ଼ ଆବର୍ଜନା ଢାଳି,
ବିଷ ପିଆଇ,
ମୋ ଚାରିପାଖ ପୂତିଗନ୍ଧମୟ କରି
ତଥାପି ତୁମେ ଶାନ୍ତି ନୁହଁ,
ମୋରି ଗର୍ଭରୁ ଜନ୍ମି,
ମୋରି କୋଳରେ ବଢି,
ମୋହର ଅମୃତ ପିଇ,
କେମିତି ବିଷ ବୃକ୍ଷ ହୋଇଯାଉଛ?
ଚାରିଆଡେ ଶୁଭୁଛି ଭୟଙ୍କର ଚିତ୍କାର
ତ୍ରାହି ତ୍ରାହି ଶବ୍ଦରେ କାନ ଫାଟିପଡୁଛି
ସବୁଆଡେ ହିଂସ୍ର, ଲୋଲୁପ ଦୃଷ୍ଟି।
ସବୁଆଡେ ମିଥ୍ୟା, ପାପ,ହିଂସା,
ବ୍ୟଭିଚାର,
ଅପକର୍ମର କର୍ମମାନ ହୁ ହୁ
ହୋଇ ମାଡି ଚାଲୁଛି
ପାରୁନାହିଁ,
ଆଉ ସହି ପାରୁନାହିଁ,
ମୁଁ ମୁକ୍ତି ଚାହେଁ,
ମୁଁ ମୁକ୍ତି ଚାହେଁ,
କିଏ ମୋତେ ମୁକ୍ତି ଦେବ?
କିଏ ମୋତେ ଶାନ୍ତି ଦେବ?
ଆସ ହେ ଦେବ ସନ୍ତାନ,
ଦେବ ରୂପେ ଦାନବଙ୍କୁ ବିନାଶ କର
କର ମୋ ଦୁଃଖ ମୋଚନ,
କର ମୋ ଦୁଃଖ ମୋଚନ।
ପ୍ରଣତି ମହାପାତ୍ର
ବାଲେଶ୍ଵର