ଶବ୍ଦ ଢେଉ ରଙ୍ଗେ ରଙ୍ଗେ
ଶବ୍ଦ ଢେଉ ରଙ୍ଗେ ରଙ୍ଗେ
ଜହ୍ନ ଜୋଛନାର ରଜନୀଗନ୍ଧା ଗୋ
ମୃଦୁ ମୃଦୁ ମହକରେ ।
ଭିଜେଇ ଦିଅ ମୋ'ଯୌବନ ଜୁଆର
ତୁମ ପ୍ରୀତି ପରଶରେ ।।
କଣ୍ଠରେ କୋକିଳ ସ୍ୱରରେ ସଙ୍ଗୀତ
ଶବ୍ଦରେ ସିକ୍ତ ଶ୍ରାବଣୀ ।
ବାନ୍ଧବୀ ତ ନୁହଁ ସଙ୍ଗିନୀ ବି ନୁହଁ
ମୋ'ପାଇଁ ପୁଣ୍ୟ ପାର୍ବଣୀ ।।
ଆଖିରେ ଆଖିଏ ସୁନେଲି ସପନ
ଓଠରେ ଚେନାଏ ହସ ।
ଲକ୍ଷେ ବୁଭୁକ୍ଷୁଙ୍କ ଅଲୋଡ଼ା ଜୀବନେ
ସତେକି ଲକ୍ଷ୍ମୀ ନିବାସ ।।
କଥାରେ କୋଟିଏ କଳ୍ପନା କାହାଣୀ
ଭାବରେ ଦିବ୍ୟ ଦର୍ଶନ ।
ବର୍ଣ୍ଣିବାକୁ ମୁଁ ଯେ ଭାଷା ପାଉନାହିଁ
ସର୍ବାଙ୍ଗେ ବର୍ଣ୍ଣ ନିପୁଣ ।।
ବିମୁଗ୍ଧ ମୁଁ ତୁମ ଶବ୍ଦର ବାଣରେ
ଶବ୍ଦ ଢେଉ ରଙ୍ଗେ ରଙ୍ଗେ ।
ସତରେ ସତରେ ଆଶାଭରୀ ହେଲ
ନାଚିଲ ମୋ' ଅଙ୍ଗେ ଅଙ୍ଗେ ।।
ଅଙ୍ଗେ ମୋ' ସଂଲଗ୍ନ ସ୍ନିଗ୍ଧ ପରିଧି
ତୁମ ସୂକ୍ଷ୍ମ ସୂକ୍ଷ୍ମ କଥା ।
କ୍ଷଣକେ ହସାଇ ଖୁସି ଭରିଦିଏ
ନଇଁ ଯାଏ ମୋର ମଥା ।।
ତୁମ ଘୁଙ୍ଗୁରର ରୁଣୁ ଝୁଣୁ ତାନ
ପ୍ରୀତି ଭରା ଫୁଲେ ଫୁଲେ ।
ନିଜକୁ ହଜେଇ ନିଜକୁ ସଜେଇ
ଶୋଇଯିବି ତୁମ କୋଳେ ।।
ପ୍ରବର୍ତ୍ତିବା ପଣେ ତୁମରି ପାଦକୁ
ମୃଦୁ ଘୁଙ୍ଗୁରର ତାନେ ।
ଅର୍ବାଚୀନ ପରି ଅତି ପ୍ରବଣତା
ଆରଣ୍ୟକ ଶବ୍ଦ ଆଣେ ।।
ସେ ଅର୍ଘ୍ୟ ବେଳାରେ ତୁମ ଶବ୍ଦ ସବୁ
ବିଦ୍ରୋହର ବହ୍ନି ତୋଳେ ।
କବି ବି ମଣିଷ ସେ ବହ୍ନି ଜ୍ୱାଳାକୁ
ସ୍ୱାଗତେ ନିଜସ୍ୱ କୋଳେ ।।
ତୁମ ଇଙ୍ଗିତରେ ମୋ ମନର ତାଜ୍
ମୋ'କବିତା କଥା କୁହେ ।
ନୀରବ ସିନା ସେ ଅନେକ ଆଶାର
ଦୀପ୍ତ ପାଖୁଡା ଦିଏ ।।
ଶୋଇଥିଲି ସିନା ଲିଭି ମୁଁ ନ ଥିଲି
ମୁଁ ପରା ସାହିତ୍ୟ ସିନ୍ଧୁ ।
ପ୍ରେରଣା ଅର୍ପଣେ ତ୍ୟାଗର ତର୍ପଣେ
ମୋ'କଳ୍ପ ଜୀବନ ବିନ୍ଦୁ ।।
ଗୋ'ପ୍ରିୟ ପାର୍ବଣୀ କେବେବି ଶ୍ରାବଣୀ
ହେବାକୁ ମୁଁ ଦେବି ନାହିଁ ।
ହଜିବିନି କେବେ ଲିଭିବିନି କେବେ
ପାଶେ ଥିବି ଦୂରେ ରହି ।।
ମୋ'ସୂକ୍ଷ୍ମ ଜୀବନେ ତୁମ ଆବର୍ତ୍ତନ
ଈଶ୍ୱରଙ୍କ ଶ୍ରେଷ୍ଠ ଦାନ ।
ତୁମ ଶବ୍ଦ ସବୁ ଅତୀତ ନୁହେଁ ଗୋ
ମୋ'ଜୀବନ ବର୍ତ୍ତମାନ ।।