ସରଗ ପଡ଼ିଛି ହାତକୁ ଖସି
ସରଗ ପଡ଼ିଛି ହାତକୁ ଖସି
ଡକ୍ଟର ସଚ୍ଚିଦାନନ୍ଦ କର
ସିଲଟ ଉପରେ ଅ, ଆ ଯେବେ
ପାରେ ମୁଁ ଲେଖି
ବାପା ଆଣିଥିବା ବହି ଯେବେ ପୁଣି
ଦିଏ ମୁଁ ଦେଖି l
ଓଷା, ପୂନିଅଁରେ ଘରେ ଯେବେ ମାଆ
ଗାଢନ୍ତି ପିଠା
ତାଙ୍କ ହାତ ଖିରୀ ଲାଗେ ଯେବେ ପୁଣି
ପାଟିକି ମିଠା l
କାଉଟିଏ ଯେବେ କାହୁଁ ଆସି ବସେ
ଗଛର ଡାଳେ
କା’ କା’ ରାବି ଉଡିଆସି ପୁଣି
ଆମରି ଚାଳେ l
ମୋତେ ଯେବେ ଡାକି ଜହ୍ନ ଦେଖାଅନ୍ତି
ଜେଜେମା’ ମୋର
ବୁଝାନ୍ତି ସେ ପୁଣି ସିଏ ବି ଗୋଟିଏ
ମାମୁରେ ତୋର l
ଦେହରେ ମୋହର ଘସିହୁଏ ଯେବେ
ଆମରି ପୁଷି
କୁଦିପଡି ପୁଣି ଧରି ସେ ଆଣଈ
ଚୁଟିଆ ମୂଷି l
ଜେଜେଙ୍କ ସାଙ୍ଗରେ ଯାତରାକୁ ଯେବେ
ବାହାରେ ବୁଲି
କହନ୍ତି ସେ ପୁଣି ଆ’ ରେ ଖେଳିବୁ
ଦୋଳିରେ ଝୁଲି l
ଶିରାବଣେ ଯେବେ ଗାଆଁ ଦାଣ୍ଡ ଛୁଟେ
ବରଷା ପାଣି
ତା’ ସୁଅରେ ପୁଣି କାଗଜ ଡଙ୍ଗା ମୁଁ
ଭସାଏ ଆଣି l
ଘରକୁ ଆମର ଅଜା ମୋର ଯଦି
ଆସନ୍ତି କେବେ
ଅଜାଙ୍କ ମୁହଁରୁ ମଜା କଥା ପୁଣି
ଶୁଣେ ମୁଁ ଯେବେ l
ଏମିତି ଲାଗେ ମୁଁ ନାଚି ଗୀତ ଗାଏ
ମଊଜେ ହସି
ସରଗ ଯେମିତି ହାତକୁ ମୋହର
ପଡିଛି ଖସି l