ଭସା ବାଦଲର ଛାଇ
ଭସା ବାଦଲର ଛାଇ
ତୁମେ ଧାରାଶିରାବଣ ମେଘୁଆଆକାଶେ
ଭସା ବାଦଲର ଛାଇ
ମୁଁ ଅଙ୍କାବଙ୍କା ଏକ ନଈ
ସ୍ଥାବର ଜଙ୍ଘମ ଲଙ୍ଘିଯାଏ ଯେତେ
ବହି ଚାଲିଥାଏ ପର୍ବତ ଶିଖରୁ
ସିନ୍ଧୁ ଛୁଇଁବା ପାଇଁ
ଅନୁଭବ କରେ ସବୁଠି ତୁମକୁ
କେତେ ଚେଷ୍ଟାକରେ ଥରେ ମିଶିବାକୁ
ସବୁଥର କିନ୍ତୁ ଜିତିଯାଅ ତୁମେ
ପରାଜିତ ହୁଏ ମୁହିଁ
ମୁଁ ଅଙ୍କାବଙ୍କା ଏକ ନଈ ।।
କେବେ ତୁମେ ସାଜ ଇନ୍ଦ୍ରଧନୁ
ଗଗନ ବଳୟେ ଥାଇ
ବିମୋହିତ କର ମହି,
ଯେବେ ଜହ୍ନପୋଖର ପୁନେଇଁ ରାତିରେ
ଜୁଆର ଉଠେ ମୋ କୁଆଁରୀ ଛାତିରେ
ତୁମରି ପରଶ ପାଇଁ
ଆଖିପିଛୁଳାକେ କାହିଁ ହଜିଯାଅ
ଶରଦ ସଞ୍ଜରେ ଭ୍ରମ ଉପୁଜାଅ
ଛାତିର ତାତିକୁ ରାତିରେ ହଜେଇ
ମୁଁ କାନ୍ଦୁଥାଏ କଇଁକଇଁ
ମୁଁ ଅଙ୍କାବଙ୍କା ଏକ ନଈ ।।
କୋଟି ପିପାଶୁଙ୍କ ଆଶ୍ରା ହେଇ ମୁଁ
ତୃଷ୍ଣା ମୋ ମେଣ୍ଟେ ନାହିଁ
ତୁମ ମରୀଚିକା ରୂପ ପାଇଁ
ଅଧରର ମଧୁ ଚୁମ୍ବନକୁ ଝୁରି
ମୁଁ କେବେ ବହେ କ୍ଷୀପ୍ର କେବେ ଥିରିଥିରି
ତୁମ ପୀରତିରେ ବାଇ
ଆଲିଙ୍ଗନର ଆସନ୍ନ ବିଚ୍ଛେଦେ
ନୟନ ମୋର ରୁଧିର କାନ୍ଦେ
କେତେ ଆଶା ପୁଣି ଅଧା ରହିଯାଏ
କହି କି ପାରିବି ମୁହିଁ
ତୁମେ ଧାରାଶିରାବଣ ମେଘୁଆଆକାଶେ
ଭସା ବାଦଲର ଛାଇ
ମୁଁ ଅଙ୍କାବଙ୍କା ଏକ ନଈ ।।