ରଜ ଅଛି ଆସ ଫେରି
ରଜ ଅଛି ଆସ ଫେରି
ରଜ ଅଛି ଆସ ଫେରି
ମୁଁ କି ଜାଣିଥିଲି ଏଠି ଅଛ ବୋଲି
ସାନ୍ତା କ୍ଲଜ୍ ଗୋଟିଏ ହେଇ;
ମୋ ଉପରେ ରୁଷି ଦିନରେ ନ ଆସି
ଶୋଇଲେ ଦିଅ କଣ୍ଢେଇ || -୧
କି ଲାଗି ମୋ ବାପା ହେଲ କହ ଖପା
ମୁଁ କି ହେଲି ଅମାନିଆଁ |
ଯେବେ ଅଜାଣତେ ହେଇଥିବି ମୋତେ
କରି ଦିଅ ଥରେ କ୍ଷମା || -୨
ଚେତା କି ସପନେ ଭାଳିବିନି ମନେ
ପାଳିବି ଜନମ ଦିନ;
ଫେରି ଆସ ବାପା ଆଉ କିଆଁ ଖପା
ନଥାଉ ଆମର ଧନ || -୩
କହିଲେନି କେହି ଏଇଠାରେ ଥାଇ
ମୋ ପରେ କରିଛ ରାଗ;
ମାଆ ବି କହିଲା ହେଲେ ଭଲ ପିଲା
କରିବ ଆସି ସରାଗ || -୪
ମାନୁଛି ମୁଁ କଥା ଯାଉନି ଅଯଥା
ଖରା ବରଷାରେ ବୁଲି;
ଅଳି ଅରଦଳି ନାହିଁ ଆଗ ଭଳି
ତୁମେ ବାହୁଡ଼ିବ ବୋଲି || -୫
ମାଆ ଅଛି ଏକା ହେବ କାଳେ ଥକା,
ବାସନ ମୋ ଦିଏ ମାଜି;
ତୁମ ଖାତା ବହି ଦେବି ମୁଁ ସଜାଇ
ଲେଉଟି ଆସିବ ଆଜି || -୬
ପୋଛି ତୁମ ଜୋତା ଆଣି ଦେବି ଛତା
ଘରୁ ବାହାରିବା ବେଳେ;
ଏବେ ବାପା ଆଉ ରାଗ ରୋଷ ଥାଉ,
ଫେରୁଥିବ ସଞ୍ଜ ହେଲେ ||-୭
ଆସୁଅଛି ରଜ ସାଙ୍ଗ ସାଥୀ ସଜ
ଖାଇବେ ସେ ପିଠା ପଣା,
ମୋତେ ଲୋଡ଼ା ନାହିଁ; ଦେବି ବାପା ଖାଇ
ଶାଗ ଭାତ ବଡ଼ି ଛଣା ||-୮
ତୁମ କୁନି ପୁଅ ପଚାରୁଛି କୁହ
ଆଉ କି ପାରିବି କରି;
ଆଜି ଥାଉଁ ଦିନ , ଛୋଟ କଥା ମାନ,
ରଜ ଅଛି ଆସ ଫେରି || -୯