ଗ୍ରୀଷ୍ମ
ଗ୍ରୀଷ୍ମ
ପ୍ରଚଣ୍ଡ ରୁଦ୍ର ତାପ ଘେନି
ଗ୍ରୀଷ୍ମ ଆସିଛି ଏ ଧରଣୀ ।।
ବହୁଛି ଦୈତ୍ୟ ମଳୟ ଯେ
ସତେ ଘେନିବ ଯମାଳୟେ ।।
ଭୂମି ଉପର ଅଗ୍ନି ବର୍ଷା
ଜଳୁଛି ସର୍ବତ୍ର ଏ ଉଷା ।।
ପୀଡାରେ ରତ ଚରାଚର
କଷ୍ଟରେ ହୁଅନ୍ତି ଆତୁର ।।
ନୀର ଅଭାବେ ସର୍ବ ପ୍ରାଣୀ
ମୃତ୍ୟୁ ମୁଖକୁ ଯାନ୍ତି ଟାଣି ।।
ସର୍ବତ ଖାଲି ମରୂ କୃତି
ସଦୟ ନୁହେ ଜୀବ ପ୍ରତି ।।
ପ୍ରଚଣ୍ଡ ଶିବ ମୂର୍ତ୍ତି ଧରି
ଗ୍ରୀଷ୍ମ ଯେ କାଳ ରୂପ ଧରି ।।
ଖୋଲିଛି ତୃତୀୟ ନୟନ
ପାପୀଙ୍କ ନାହିଁ କେଉଁ ସ୍ଥାନ ।।
ବିଚାରି ଅଛି ସର୍ବ ପାପ
ସେପାଇଁ ତାହାର ଏ ତାପ ।।
ସଂହାର ରୂପ ଧରି ଆସି
ନିଶ୍ଚିହ୍ନ କରିବ ତ ପାପୀ ।।
ମଳୟେ କରେ ସେ ତାଣ୍ଡବ
ଆଉ ନ ହେବ ଶାନ୍ତ ଦେବ।।
ଭସ୍ମରେ ଭସ୍ମୀଭୂତ ହେବେ
ଆଉ ଯେ କେହି ନ ବଞ୍ଚିବେ ।।
ଅତିଷ୍ଠ ପ୍ରକୃତି ଓ ଧରା
ଏ ନର ରାକ୍ଷସ ଯେ ପରା ।।
ଶଙ୍କର ଗ୍ରୀଷ୍ମ ରୂପ ଧରି
ଫେରିବ ଏ ନର ସଂହାରି ।।
ଶିବାନନ୍ଦ ବନଛୋର
ଅଞ୍ଚଳ ମହାବିଦ୍ୟାଳୟ,ପଦ୍ମପୁର