ନିୟତି
ନିୟତି
କି ଲୀଳା କରୁଛୁ କାଳିଆରେ ତୁହି
ତୋ ଲୀଳା ତୋତେ ହିଁ ଜଣା
ଭକତ ଜୀବନ ଧନ ପରା ତୁହି
କରୁଣା କରେନି ଊଣା l
କେତେ ଜନମର ପୂଣ୍ୟ ବଳରେ
ମଣିଷ ଜନମ ଦେଲୁ
ସୁଖ ଶାନ୍ତିର ପରିବାର ଦେଇ
ମୋତେ ତୁ ନିଜର କଲୁ l
ମୋହ ମାୟାର ବଳୟରେ ମୋତେ
ଏମିତି ଛନ୍ଦି ଦେଲୁ
ସୁଖର ସମୁଦ୍ରେ ମୋତେ ଭସାଇ
ଦୁଃଖକୁ ଭୁଲେଇ ଦେଲୁ l
ଗର୍ବ ଅହଂକାର ମୋତେ ତୁ ଦେଲୁ
ତୋର ନାମ ଭୁଲିଗଲି
ଚନ୍ଦ୍ର ସୂର୍ଯ୍ୟ ସମ ବେନି ନୟନକୁ
ମନରୁ ପାଶରି ଦେଲି l
ନଟ ନାଗର ତୁ ବଡ଼ କପଟିଆ
ଲଗାଉ ଥାଉ ତୁ ନାଟ
କାହାକୁ ହସାଉ କାହାକୁ କନ୍ଦାଉ
ଅନ୍ଧାରେ କଡାଉ ବାଟ l
ଜୀବନ ନୌକାରେ ସୁଖ ଆଉ ଦୁଃଖ
ଦୁଇଗୋଟି ପାଦ ପରା
ଗୋଟେ ଆଗେ ଥିଲେ ଗୋଟେ ପଛେ ଥିବ
ସମୟ ଦିଏନି ଧରା l
ଅନ୍ୟଗୋଟେ ପାଦ ଅଦୃଶ୍ୟ ରହିଣ
ନିୟତିର ନାମ ନିଏ
ତାହାର ଦଉଡି ତୋ ହାତରେ ଥାଇ
ଆମକୁ ନଚାଉ ଥାଏ l