ଅବରୁଦ୍ଧ ଆକାଶ
ଅବରୁଦ୍ଧ ଆକାଶ
ପିଠିରେ ଭାରି ବୋଝ ବୋହି
ଢଳି ଢଳି ଆସୁଥିଲେ ଦଳ ଦଳ ପେଂଗୁଇନ୍
ବିରାଟ ସେ ଲୁହାର ଫାଟକ ଆଡକୁ
ଅପୂର୍ବ ଉଲ୍ଲାସରେ ଭରିଅଛି ମନ
ପିଂଜରାରୁ ଖସି ଆସିଥିବା ବିହଂଗମ ପରି
ସୀମାହୀନ ଆକାଶକୁ ଅତିକ୍ରମି ଯିବାର ଆବେଗ
କୁନି କୁନି ଆଖି ସବୁ କଥା କହୁଥିଲେ
ପଛରେ ଛାଡି ଆସିଥିବା ଧରା ବନ୍ଧା ନିୟମ
ଆଉ ଶୃଙ୍ଖଳିତ ସମୟର କଥା ।
ହଠାତ୍ ବିକଟାଳ ଶବ୍ଦ କରି
ଖୋଲି ଗଲା ଲୁହାର ଫାଟକ
କୁନି କୁନି ପାଦ ସବୁ ଥମି ଗଲେ
ଧାଡି ବାନ୍ଧି ପେଂଗୁଇନ୍ ସବୁ
ଜାକି ଯୁକି ହେଇ ପଶିଗଲେ
ନିଜ ନିଜ ଯନ୍ତା ଭିତରେ
ଚଂଚଳ ଆଖିସବୁ ସେମିତି କଥା କହୁଥିଲେ
ଦୀର୍ଘ ଶୃଙ୍ଖଳିତ ଜୀବନର ପରେ
ଆଗାମୀ ଛୁଟି ଦିନ ପାଇଁ
ଏକ ମୁକ୍ତିମୟ ଛନ୍ଦମୟ ଜୀବନର କଥା ।
ସେ ସ୍ବପ୍ନର ଦିନ ଆସେ ନୂତନ ସୁର୍ୟ ସାଥେ
କରାଟେ, ଆର୍ଟ୍ ,ଗୀଟାର୍ ଅବା ଡାନ୍ସ୍ ର ଅଭ୍ୟାସ ପରେ
ପ୍ରୋଜେକ୍ଟ୍ ଆଉ ହୋମ୍ ଉଆର୍କ୍ କରୁ କରୁ
ବିତି ଯାଏ ସେ ସ୍ବପ୍ନର ଦିନ
ଟନ୍କା ଗଢା କଳ ଏକ ଗଢାହବା ପାଇଁ
ଏମିତି ବିତି ଯାଏ କେତେ ଯେ
ଆନନ୍ଦର ଧୂଳି ଖେଳ ଦିନ
ଛୋଟ ଛୋଟ ବାଲିଘର ସବୁ ଧସି ଯାଏ
ପିତା ମାତାଂକର ସ୍ବପ୍ନର ମହଲର ତଳେ
ଉଚ୍ଚ ଆକାଶକୁ ଛୁଇଁବାର ଆଶା ନେଇ
କୋମଳ ପକ୍ଷ ଯେ ବନ୍ଧା ସୁବର୍ଣ୍ଣ ଶିକୁଳିରେ ।
ନିବେଦିତା ମିଶ୍ରଗୁରୁ