ମୁଁ ତେଜସ୍ୱିନୀ
ମୁଁ ତେଜସ୍ୱିନୀ
ରଘୁଦାସପୁର ଗାଁ ଟିଏ
ରହିଛି ସେଠାରେ ଝିଅଟିଏ
ଭାରି ଗାଲେଇ , ଭାରି ଫୁଲେଇ
ପ୍ରକୃତିରେ ସିଏ ସ୍ୱାଭିମାନୀ
ନାଁ ଟି ତାର ତେଜସ୍ୱିନୀ !!!!
ସକାଳୁ ଉଠିଲେ ଗାଧୋଇ ଯାଏ
ବୁଲି ବୁଲି ପୁଣି ସଭିଙ୍କୁ କହେ !
ପୋଖରୀ ତୁଠରେ ଲଗାଏ କଳି
ଗାଁ ମାଉସୀ କୁ ଦିଏ ସେ ଗାଳି !
ମାଉସୀ କହିଲା ହଇଲୋ ଦିଣ୍ଡା
ବଡ ହେଲେ ଦିନେ କରିବୁ ଧଣ୍ଡା !
ଛୋଟ ଝିଅ ଦିନେ ବଡ ହୋଇଲା
ସଭିଙ୍କ ବିପଦେ ଠିଆ ହୋଇଲା !
ଗାଁ ମୁଣ୍ଡେ ଥିଲା ଶୁଖିଲା ନଈ
ନିଧି ମଉସାଟି ବସଇ ଯାଇ !
ନଦୀ ବନ୍ଧ ତଳେ ଆମ୍ବ ତୋଟା ଟା
ନିଧି ମଉସାର ବଗିଚା ସେଟା !
ଅଦିନେ ବରଷା ଝରି ଲାଗିଲା
ଆମ୍ବ ତୋଟା ମୂଳେ ପାଣି ଜମିଲା !
ଶୁଖିଲା ନଈ ଟା ଆସିଲା ମାଡି
ନିଧି ମଉସାଟି ଗଛରେ ଚଢି ...
ଡାକୁଛି ବସିକି ଆକୁଳ ହୋଇ !!!!!!!
ଦୁଃଖୀର ଦୁଃଖ କୁ ନପାରି ସହି
ତେଜସ୍ୱିନୀ ଆସେ ପଦାକୁ ଧାଇଁ !
ଦେଖିଲା ମଉସା ଗଛରେ ଚଢି
ପ୍ରାଣ ବିକଳରେ ହେଉଛି ଭିଡି !
ବରଷା ,ଝଡକୁ ନ କରି ଭୟ
ତେଜସ୍ୱିନୀ ଦେଲା ତାକୁ ଅଭୟ !
ଏମିତି କିଛି ଦିନ ଯେ ଗଲା
ତେଜସ୍ୱିନୀ ଗୁଣ ବାଇଆ କଲା !
ଚାରିଖଣ୍ଡ ଗାଁ ହୋଇଲେ ଠିଆ
ସାହସୀ ନାରୀ କୁ କଲେ ମୁଖିଆ !
ତେଜସ୍ୱିନୀ କହେ ସବୁରି ପାଇଁ
ଧନ,ଜନ ମୋର ନାହିଁ ଟି ଭାଇ !
ଗାଁ ଶେଷ ମୁଣ୍ଡେ ମୋ ଝୁମ୍ପୁଡି ଘର
ସେଠାରେ ରହୁଛି ମୋ ବାପ ବୁଢ !
କେଉଁଠୁ ଆସିଲା ନଟିଆ କାକା
କହି ଦେଲା ପଦେ ସଳଖ କଥା !
ତେଜସ୍ୱିନୀ ଆଜି ଆମର କିଏ ?
ଦେଶ,ଦୁନିଆର ସୁନାମ ସିଏ !!