ରେ ନାବିକ
ରେ ନାବିକ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ରେ ନାବିକ ! ବାହିନେ ଜୀବନ ତରୀ
ସେ ଦେଶେ ଯେ ଦେଶେ ପ୍ରେମର ପରଶେ
ହସିବି ମୁଁ ପ୍ରାଣ ଭରି ।୦।
ସନ୍ତତ କୋକିଳ ଗାଉଥିବ ଯହିଁ
ମନ ଭୁଲାଣିଆ ଗୀତ
ମଧୁର ସେ ସ୍ଵନ ଶୁଣି ଜଡ଼ ପ୍ରାଣ
ହସି ଉଠେ ହୋଇ ପ୍ରୀତ ।୧।
ମେଘୁଆ ଅନ୍ଧାରେ ଲୁଚିଲାଣି କାହିଁ
ଆଶାର ମୋ ଧ୍ରୁବ ତାରା
ଅବଶ ଶରୀର ଉଠି ମୁଁ ନ ପାରେ
ବଢ଼ିଲାଣି ଦୁଃଖ ଭାରା ।୨।
ଝଡ଼ ତୋଫାନର ମାଡ଼ ଖାଇ ଖାଇ
ଅଝାଲ ଗଲାଣି ଚିରି
ବାଟ ଭୁଲି କାହିଁ ଯାଉଛି ମୋ ନାଆ
କର ଏ ସଙ୍କଟୁ ପାରି ।୩।
ସମାପ୍ତ