କେନ୍ଦୁଝର
କେନ୍ଦୁଝର
ମାଟିର ମହକ ଏଠି
ପୁଣ୍ୟ ତପୋବନ
ପୂର୍ଣ୍ଣତାର ସ୍ନିଗ୍ଧ ଶିହରଣ
କଳକଳ ପାହାଡି ଝରଣାର
ମଧୁର ଗୁଂଜନ
ଛୁଇଁଯାଏ
ମୁକୁଳା ହୃଦୟର
କଅଁଳ ଉପବନ
ଗଛ ଲତା ପାହାଡ ପର୍ବତ
ନଦ ନଦୀ ସବୁଜ କେଦାର
ଅବାରିତ
ଅନାବରଣର
ଆଡପ ମଣ୍ଡପ
ପରକୁ ଆପଣା କରିବାର ଭାବକୁ
ଆବୋରି ନେଇ
ଖିଲି ଖିଲି ହସେ
ଏ ପୁଣ୍ୟ ଭୂଇଁ
ମୋ ପ୍ରିୟ କେନ୍ଦୁଝର ।।
ମାଟିଏଠି କଥା କହେ
କଥା କହେ ପାଣି
ପବନ ବି ଚୁପି ଚୁପି କହେ
ଚନ୍ଦନ ନିଗିଡି ପଡେ
ଧାର ଧାର
ସ୍ବପ୍ନମାନେ ଓହ୍ଲାଇ ଆସନ୍ତି
ମାଟିକୁ ଛୁଅଁନ୍ତି
ଅନାୟସରେ
ଯୋଡିଦିଅନ୍ତି ଭଙ୍ଗା ହୃଦୟକୁ
ମହ ମହ ବାସୁଥାଏ ଦିନ
ପାର୍ବଣ ପାର୍ବଣ ଲାଗେ
ମହୁଲ ଫୁଲର ମଧୁର ବାସ୍ନା ରେ
ସତରେ
କେତେ ଗରୀୟାନ
ଏ ପୁଣ୍ୟ ଭୂଇଁ
ମୋ ପ୍ରିୟ କେନ୍ଦୁଝର ।।
ଏଠି ସୂରୁଯ ଉଏଁ
ମୁରୁଜ ବୁଣେ
ପୁଣ୍ୟତୋୟା ବୈତରଣୀ ର
କାଚକେନ୍ଦୁ ଜଳରାଶି
ମାଟିକୁ ଫେରାଇ ଦିଏ
ସ୍ନେହ ଓ ସୌହାର୍ଦର ରଂଗ
ସଗର୍ବେ ସମ୍ମୋହନ କରେ
ନିଛକ୍ ମଣିଷ ପଣିଆର
ଉଜ୍ଜଳ ଚେତନା
ଭୂମିରୁ ଭୂମା କୁ ଛୁଏଁ
ନିଷ୍କପଟ ନିରୀହ ଭାବନା
ହସେ ସବୁଜ ବନାନୀ
କେତେ ଜନଜାତି
ନିଷ୍ପାପ ମଣିଷ
କୋହ୍ଲ ,ସାନ୍ତାଳ ଅବା
ଭୁୟାଁ ,ଜୁଆଙ୍ଗଙ୍କ
ସରଳ ନିଶ୍ଵାସ,ଅତୁଟ ବିଶ୍ଵାସ
ଓ ନିଃସର୍ତ୍ତ
ଭଲପାଇବାର ପ୍ରୀତି ସୁଧା
ଝରିପଡେ ଝରଝର
ସତରେ
କେତେ ମହୀୟାନ
ଏ ପୁଣ୍ୟ ତୀର୍ଥ
ମୋ ପ୍ରିୟ କେନ୍ଦୁଝର ।।
ଏଠି ସଂଜ ଆସେ ନଇଁ ନଇଁ
ଫୁଙ୍ଗୁଳା ପାହାଡର
ମଥାନକୁ ଛୁଇଁ ଛୁଇଁ
ଝଲମଲ
ଜହ୍ନ ଆଲୁଅର ଖେଳ
ଗହନ ଶାଳବଣର
ଗହଳ ଗଭାରେ
କୁରେଇ ଫୁଲଙ୍କ
ସ୍ବପ୍ନମୟ ଅଭିସାର
ଆକାଶ ଛାତିରେ
ଫୁଟିଥିବା ଅସୁମାରି
ତାରା ଫୁଲଙ୍କ ମହକରେ
ଭିଜୁଥାଏ ସୁଦୀର୍ଘ ପଣତ
ଏ ଋତ୍ନଗର୍ଭା ପୁଣ୍ୟ ଭୂଇଁ
ମୋ ପ୍ରିୟ କେନ୍ଦୁଝର ।।
ଏଠି ରାତି ଆସେ
ମାଦଳର ତାଳେ ତାଳେ
ତମିସ୍ରା ର ଚାଦରରେ
ଢାଙ୍କି ହୋଇଯାଏ
ଅନାବୃତ୍ତ ଅବୟବ
ସ୍ବପ୍ନମାନେ ଉଡୁଥାନ୍ରି
ଡେଣା ମେଲି ଫର ଫର
ମଜଗୁଲ ମହୁଲି ନିଶାରେ
ଶିରି ଶିରି ଶୀତୁଆ ପବନର
କଅଁଳ ଛୁଆଁରେ
ଘୁମେଇ ପଡେ ମହୁଲ ,
କୁରୁମ ଗଛର ବଣ
'ହାଣ୍ଡିଭଙ୍ଗା' , 'ଭୀମକୁଣ୍ଡ '
'ଘଟଗାଁ' ପୁଣ୍ୟ ପୀଠ
ସତରେ ଅପରୂପା
ଆପାଶୋରା
ପୂର୍ଣ୍ଣତାର ଏ ପୁଣ୍ୟ ଭୂଇଁ
ମୋ ପ୍ରିୟ କେନ୍ଦୁଝର ।।
ପାହାନ୍ତିଆ ତାରାର
ସ୍ନିଗ୍ଧ ଶିହରଣ
କୋଇଲିର କୁହୁକ
କାଢି ଦିଏ କଳା ଚାଦର
ପୁନଶ୍ଚ
ଲହଡି ଭାଙ୍ଗେ
ଇନ୍ଦ୍ରଧନୁର ସାତରଂଗ
ଆଙ୍କି ହୋଇଯାଏ ସୁନ୍ଦର ଛବି
କେଉଁ ଶିଳ୍ପୀଙ୍କର
ସୂକ୍ଷ୍ମ ତୂଳିରେ ,
ଉଙ୍କିମାରେ ଇତିହାସ
କେତେ ଗାରିମାରେ
ଭରପୂର
ଏ ମାଟିର ସମୃଦ୍ଧ ଅତୀତ
ଓ ସ୍ପଷ୍ଟ ଦୃଶ୍ୟମାନ
ଉଜ୍ଜଳ ଭବିଷ୍ୟ
ସଦା କୋଳାହଳ
ଅପୂର୍ବ ମନ୍ତ୍ର ରେ ଛନ୍ଦାୟିତ
ଶ୍ୟାମ ଦୁର୍ବାଦଳ
ସତରେ
କେତେ ସୁମହାନ
ଏ ପୁଣ୍ୟ ଭୂଇଁ
ମୋ ପ୍ରିୟ କେନ୍ଦୁଝର ।।
ସାଧନା ଓ ସିଦ୍ଧିର ଯଜ୍ଞବେଦୀ
ସମର୍ପଣର ସରଳ ଭାବରେ
ଅମୃତ ବାଣ୍ଟିବାର
ବଜ୍ର ଶପଥ ନେଇ
ସଦା ଜୁଡୁବୁଡୁ ତନୁ
ଅନେକ ସ୍ମୃତିର ପାହାଡ ତଳେ
ଝଲମଲ କେତେ ବୁନ୍ଦା ଅଶ୍ରୁ
ସବୁଥାଇ ନଥିବାର
ନିସ୍ବପଣିଆରେ
ନିସ୍ତେଜ ଓ କ୍ଳାନ୍ତ
ଗୁମୁରି ଗୁମୁରି କାନ୍ଦେ
ସନ୍ତୁଳିତ ଆତ୍ମା
ଅବାରିତ
ଉଦାସୀ ବଉଦ ତଳେ
ଏ ପୁଣ୍ୟ ଭୂଇଁ
ମୋ ପ୍ରିୟ କେନ୍ଦୁଝର ।।
ମୋ ପ୍ରାଣର ପ୍ରତିଟି ସ୍ପନ୍ଦନ
ଉଜାଗର
ରକ୍ତର ପ୍ରତିଟି ବିନ୍ଦୁ
ସମର୍ପିତ
ଏ ମାଟିର ପୂଜାରେ
ପୁଲକିତ
ବିଭୋର ଓ
ସଦା ଅଧିର
ସାଇଁ ସାଇଁ ଅସନ,କଇମ
ଶାଳ, ପିଆଶାଳ,
ଶାଗୁଆନର
ଗୁଣୁ ଗୁଣୁ ଅସ୍ପଷ୍ଟ
ସଂଗୀତର
ମୁଗ୍ଧ ମୂର୍ଚ୍ଛନାରେ ।।
ଏ ମାଟି ମୋ ଶକ୍ତି
ଏ ମାଟି ମୋ ଭକ୍ତି
ଏ ମାଟି ମୋ ମୁକ୍ତି
ପୂଜାବେଦୀ
ଯୁଗ ଯୁଗର
ଜୀଇଁବାର ଆଧାର
ଅଲିଭା ସ୍ବାକ୍ଷର
ଚିର ଭାସ୍ବର
ସତରେ
କୋଟି କୋଟି ପ୍ରଣାମ
ଏ ପୁଣ୍ୟ ଭୂଇଁ
ମୋ ପ୍ରିୟ କେନ୍ଦୁଝର ।।