ବିଦଗ୍ଧ କବିତା ଦୁଇ
ବିଦଗ୍ଧ କବିତା ଦୁଇ
ଦୂର ଦିଗ୍ବଳୟ ଅନ୍ତିମ ସୂର୍ଯ୍ୟ ମୁଁ
ତୁମେ ସରସୀର କଇଁ
ଆଖିରେ ଆଖିଏ ପ୍ରଣୟ ଶୃଙ୍ଗାର
ପାରେନାହିଁ କେବେ ଛୁଇଁ । ।
ପର ଆକାଶର ଧୂମାଭ ତାରା ତୁ
ମୁଁ ' ବିଦଗ୍ଧ ସଞ୍ଜବତୀ
ନିତି ନିଶି ଜଳେ ଦିକିଦିକି ହୋଇ
ଲୁଚାଇ ଅସହ୍ୟ ତାତି । ।
ଯମୁନା ଅଗଣା କଦମ୍ବ ବାସ ମୁଁ
ତୁମେ ମଧୂଝରା ରାତି
ମଥୁରା ମଙ୍ଗଳ ଲେଖା ମୋର ଭାଗ୍ୟେ
ଗୋପପୁରେ ଛାଡି ସାଥି । ।
ଭାବନା ବିହୀନ ଶବ୍ଦଟିଏ ମୁଁ
ତୁମେ କବିତାର ଝର
ଓଠ ନ ଛୁଇଁବି ବଂଶୀ କି' କେବେ
ତୋଳିଛି ସ୍ୱର ଝଙ୍କାର । ।
ନିଦାଘ ନୟନେ ବିରହ ଜ୍ୱାଳା ମୁଁ
ତୁମେ ଭିଜାମାଟି ବାସ୍ନା
ରତି ବିନା ଋତୁ ମିଳନ କି ହେବ
ଅତୃପ୍ତ ରହୁ ଏ ତୃଷ୍ନା । ।