କବିତା
କବିତା
ବାସନ୍ତୀ ସନ୍ଧ୍ୟାର ଶୁନଶାନ ପରିବେଶ
ଭଡ଼ାଘରେ ନାହିଁ କଳ-ଗୋଳର ଆବେଶ । ଭାବିଲି ମୁଁ ଚିନ୍ତାରେ ପଡିଗଲି
ସମୟକୁ କାଟିବି କେମିତି ବୋଲି ।
ମଗଜକୁ ମସ୍ତବଡ ଆଖାଡୁଆ କଥାଟା ଜୁଟିଗଲା
କବିତାଟିଏ କେମିତି ହୁଅନ୍ତା ଲେଖିଲେ ?
ହୁଅନ୍ତା ପୁରୁଣା ଚିନ୍ତା-ନଈରେ ଭାବନାର ଜୁଆର
ହୁଅନ୍ତା କଳ୍ପନା-ଜଳ୍ପନାର ଅସୁମାରି ଫୁଆର ।
କଲମର ଗାରେ ଗାରେ
ଭାବନାର ଧାରେ ଧାରେ
କାଗଜ ଉପରେ ଉପରେ
କେତେ ଅଜଣା ଅନୁଚିନ୍ତାର ଢେଉସବୁ
ପିଟିହୁଅନ୍ତା ।
ମସ୍ତିସ୍କକୁ ଉଠୁଥିବା ନୂଆ ନୂଆ ଭାବନାସବୁ
ଝରିପଡନ୍ତା ।
ଆଖିଆଗରେ ନାଚିଯାଉଥିବା ଦୃଶ୍ୟସବୁ
ପେନ୍ଥିହୋଇଯାନ୍ତା ।
ଅଜଣା – ଅଶୁଣା ସପନର ମୁଣାସବୁ
ଖେଳିଜାଆନ୍ତା ।
ମାତ୍ର ! କଲମ ସତରେ ଚାଲୁନି
ଆଗାମୀ ପୃଷ୍ଠା ଖୋଲିହେଉନି ।
ପୁଣି ମନରେ ଭାବନା ଗଜରୁଛି
କବିତା ଲେଖିବା ଏତେ କଷ୍ଟ
କପାଳକୁ କରିଲାଣି ଝାଳରେ ଆବିଷ୍ଟ ।
ଧକ ଧକ ଗମ ଗମ ଧାଉଁଛି ଧମନୀ
ମୋ ଦ୍ଵାରା କବିତା ଲେଖା ହେବନି ।
ସାରଳା ଅତିବଡ଼ିମାନେ କେମିତି ପାରିଲେ ମହାପୁରାଣ ଭାଗବତ ଥାକ ଥାକ ଲେଖିଥିଲେ ।
ହୀନକର୍ମା ମୁଁହି
ବୁଦ୍ଧି ଶୂନ୍ୟ ହୋଇ
ବସିଗଲି ଲେଖିବାକୁ କବିତା
ପାଠକେ ମୁଖରୁ ଶୁଣିବାକୁ
ଆପଣା ଅପାରଗ ପାଣିଆର
ଏକ ସୁଦୀର୍ଘ ବତ୍କ୍ରୁତା ॥