ମଶାଣିର ଅଭିଯୋଗ
ମଶାଣିର ଅଭିଯୋଗ
କାନ ନ ଥାଇ, ମୁଁ ଶୁଣିଛି !
ସେ ନାବାଳିକାର,
ମରଣାନ୍ତକ ଆର୍ତ୍ତ ଚିତ୍କାର,
ଶ୍ୱାସରୋଧ କଣ୍ଠରୁ ଅପ୍ରସ୍ଫୁଟିତ-
କୋହ-ପ୍ରକମ୍ପିତ ସ୍ଵର,
ଅପ୍ରକାଶିତ-ଅକୁହା ବ୍ୟଥା,
ବଳତ୍କାରର ।
ଆଖି ନ ଥାଇ, ମୁଁ ଦେଖିଛି !
ଯୌନ ପିପାସୁ କୁତ୍ସିତ ମାନସିକତା
ବିକାଶୋନ୍ନମୁଖୀ ସମାଜର,
ପନ୍ୟ ଭାନ୍ତି,
ରକ୍ତ-ମାଂସ ଦେହକୁ ଲୋଟିଥିବା
ଚିତ୍ର ପାଶବିକତାର,
ଲଢ଼େଇ ଜୀବନ ମରଣର,
(ଶେଷେ), ହୁତୁ-ହୁତୁ ହୋଇ ଜଳିଯାଇଥିବା
ସେ ଦୁଃଖିର ସ୍ଥାଣୁ ମର ଶରୀର,
ଆଶା-ବିଶ୍ୱାସ-ଭରସା, ମନର ।
ପାଟି ନ ଥାଇ, ମୁଁ କହିଛି !
ଆହାଃ ! ଆତ୍ମୀୟତାର
ଦେଇଛି, ଅଭୟ ମୋ କୋଳର,
ଢ଼ାଙ୍କିଛି, ମମତା ପଣତ କାନିର ।
ସବୁକିଛି ଥାଇ !
ତୁମେ କିଆଁ ସାଜିଛ
ଅନ୍ଧ-ମୂକ- ବଧିର
ତିନି ମାଙ୍କଡ଼! ଗାନ୍ଧୀଙ୍କର ।
ସେ ହେଉ କାହାଣୀ
କୁନ୍ଦୁଲି ସସ୍ମିତାର, କିମ୍ବା
ନିର୍ଭୟା ଦିଲ୍ଲୀର,
ସବୁଠି ତ ଶିକାର ନାରୀର ।
ତେବେ,
ତୁମେ କିଆଁ ସାଜିଛ
ଅନ୍ଧ-ମୂକ- ବଧିର
ତିନି ମାଙ୍କଡ଼, ଗାନ୍ଧୀଙ୍କର ।