ଗଜରାଜ ମହାରାଜ
ଗଜରାଜ ମହାରାଜ
ବିଶାଳ ହେଲେ ବି ଶାନ୍ତ ସରଳ ଗଜରାଜ ମହାରଥୀ
ଦଳ ଦଳ ହୋଇ ଭ୍ରମଣ କରନ୍ତି ନ ଛାଡନ୍ତି କଦା ସାଥି ।
ବୃଶାଳ ଶରୀର ଛୋଟଛୋଟ ଆଖି କାନ ଦିଶେ କୁଲା ପରି
ଗଛଡାଳ ସବୁ ଭଂଜନ କରନ୍ତି ଭୁଜନ୍ତି ସେ ତୃଣାହାରୀ ।
ମଥା ଘୁରିଗଲେ ଭରଷା ନଥାଏ କୋପାନଳ ଭୟଂକର
ଘରଦ୍ୱାର ଭାଙ୍ଗି ଦଳି ଚକଟନ୍ତି ମଣିଷ କେତେ ମାତର ।
ସବୁ ମାଆ ପରି ଅପତ୍ୟ ସ୍ନେହର ଗନ୍ତାଘର ଗଜରାଜ
ସବୁ ବିପଦରୁ ଉଦ୍ଧାର କରିବେ ଲୋଡା ନାହିଁ ସଜବାଜ ।
ଶିଶୁଟିଏ କାହିଁ ହଜିଗଲେ ଚଉଦିଗେ ଖେଦିଯିବ କ୍ଷଣେ
ଭୀମରଡି କରି ସାଥିଙ୍କୁ ହକାରି ଖୋଜି ଯିବେ ଜଣେଜଣେ ।
ଖାଲରେ ପଡିଲେ ନିଜେ ପଶି ଯାଇ ଉଦ୍ଧାରିବ ଶିଶୁଟିକୁ
ପଶୁ ହେଉ ଅବା ମାନବ ସଭିଏଁ ସମଭାବ ଅପତ୍ୟକୁ ।
ମାଆର ସଂଗୀତ ଝୁଲରେ ହାତୀ ଜଂଗଲର ରାଜା ଝୁଲ
ଶିଶୁକୁ ବୁଝାଏ ଖାଇଦେରେ ରାଜା ବାଆ ପାଣି ଖାଇ ଫୁଲ ।
ଗଜରାଜ ଆଜି ବଡ ଦୁର୍ଦ୍ଦିନରେ ଜଙ୍ଗଲ ହେଉଛି ପଦା
ଖାଦ୍ୟ ଅଭାବରୁ ଜନବସତିରେ ପଶି କରେ ସବୁ ଖେଦା ।
ଗୋଡରେ ସାମାନ୍ୟ ବେଡିକୁ ଶାସନ ମାନି ଫେଡିପାରେ ନାହିଁ
ହିଂସ୍ର ସଜାଏ ସଭ୍ୟ ମାନବ ବିବେକ ବୁଡାଇ ଦେଇ ।
ପଶୁପକ୍ଷୀ ଭୟେ ଜନପଦ ଗଢି ଘର କରିଥିଲା ଯିଏ
ତାକୁ ଦେଖି ହିଂସ୍ର ଜଂଗଲର ପଶୁ ଲୁଚୁଛନ୍ତି ଆଜି ଭୟେ ।