ସମ୍ବନ୍ଧ
ସମ୍ବନ୍ଧ
ସମ୍ବନ୍ଧ ବି ଦୁଇ ପର୍ଯ୍ୟାୟକୁ ନେଇ ସଂସାରେ ରଚଇ ଖେଳ
କେଉଁଠି ଅବଶ୍ୟ ଢାଳଇ ପିୟୁଷ କେଉଁଠି ଢାଳେ ଗରଳ ।
ଜୀବର ସମ୍ବନ୍ଧ ପରମେ ନିବିଦ୍ଧ ସେ ଲାଗି ପ୍ରକୃତି ଗଢା
ଜୀବ ଦୋଷପୂର୍ଣ୍ଣ ହେଲେ ପରମବ୍ରହ୍ମ କରେ ନାହିଁ ହାତ ଛଡା ।
ଏଥିପାଇଁ ସିନା ସୃଷ୍ଟିହେଲା କ୍ଷମା, ଦେବା, ନେବା ଛଇଛାପ
ସମ୍ବନ୍ଧ ଯୋଗୁହିଁ ସୃଷ୍ଟି ଅଛି ପାଇ ମହନୀୟତାର ରୂପ ।
ଦାନଭାବେ ଏଇ ସମ୍ବନ୍ଧ ରାଜଇ ଉଦିତ ସୂରୁଜ ପରି
ପ୍ରତିଦାନ ଆଶା ରଚେ ଅମାବାସ୍ୟା ସମ୍ବନ୍ଧେ ବିକଳ କରି ।
ସମ୍ବନ୍ଧର ଗୁଢ଼ ଅର୍ଥରେ ହିଁ ମୁଢ଼ ପାଏ ଫଳ ଚତ୍ତୁବର୍ଗ
ଅନ୍ୟଥା ଜୀବନ ଘୁର୍ଣ୍ଣାୟମାନ କଦର୍ଥିତ ସଉଭାଗ୍ୟ ।
ଶତ୍ରୁତା, ମିତ୍ରତା ଦ୍ବିଭାଗ ଆଶ୍ରିତା ହୋଇଛି ସମ୍ବନ୍ଧ ସିନା
ଶତ୍ରୁତାରେ ହୃଦ ହୁଏ ସଦା ଦଗ୍ଧ ଧରି ବିନାଶ କାମନା ।
ମିତ୍ରତା ସଦାହିଁ ହୃଦୟ ମୋହଇ କଳ୍ପନାରେ ରଙ୍ଗ ଭରି
ଯା' ହେଉ ସମ୍ବନ୍ଧ ଚିନ୍ତନେ ଆବଦ୍ଧ ରୁହଇ ଜୀବନ ଭରି ।