ଡାହାଣୀ ( ଶିଶୁକବିତା )
ଡାହାଣୀ ( ଶିଶୁକବିତା )
ଦେଖିଲି ଡାହାଣୀ ବିକଟ ଚାହାଣୀ
ଲହଲହ ଜିଭ ତାର
ମୁକୁଳା ତା କେଶ ଭୟଙ୍କର ବେଶ
ଧାଇଁ ହେଲା ନଈ ପାର ।
ଖିଲିଖିଲି ହସେ ନିମିଷକେ ବସେ
ନଈବନ୍ଧ ଗଛ ଡାଳେ
ଛାନିଆରେ ମୁହିଁ ସଞ୍ଜେ କ୍ଷୀର ଦୁହିଁ
ଆସିଲି ଛାଡି ଗୁହାଳେ ।
ଏତେ କଥା କହି ଗଲା ସିନା ରହି
ପ୍ରଧାନ ଘରର ବୋହୁ
ଭଗିଆ ଅଜା ବି କେଜାଣି କି ଭାବି
ବସିଗଲେ ଥୟ ନୋହୁ ।
ହେଲେ ଝାଡାବାନ୍ତି ଡାକ୍ତର ନାହାନ୍ତି
ଲୋକେ ହୋଇଥିଲେ ରୁଣ୍ଡ
ପଶିଥିଲା ଡର ହୋଇ ଥରହର
ପାକୁପାକୁ କଲେ ତୁଣ୍ଡ ।
ଶୁଣ ଆରେ ନାତି ସଞ୍ଜ ଗଡି ରାତି
ହୁଅନ୍ତେ ଧରିଣ ପିଲା
ନିଆଁ ହୁଳା କାଢି ଆସୁଥିଲା ମାଡି
ଦେଖି ମୋ ଅବସ୍ଥା ଢିଲା ।
ଶୀଘ୍ର ଡାକି ଆଣ ଗୁଣିଆ ସେ ପାଣ
ଗାଆଁ ସୀମା ଦେଉ କିଳି
ଜାଣିନ କାହାଣୀ ଏଇ ସେ ଡାହାଣୀ
ଖାଇଛି ପିଲାଙ୍କୁ ଗିଳି ।
ଶୁଣି ଏ ବିଷୟ କରିଲି ନିଶ୍ଚୟ
ଲୋକଙ୍କ ମନର ଦକ
ଦେବାକୁ ଦୂରେଇ ଆଖି ମୋ ଘୂରେଇ
କହିଲି ଆସରେ ଠକ ।
କହିଦିଅ ଖୋଲି ମୁହେଁ କିସ ଗୋଳି
କାଢୁଥିଲ ନିଆଁ ହୁଳା
ଦେଖନାହିଁ ମଜା ନହେଲେ ଏ ଅଜା
ଛେରି ଯିବେ ପୁଳା ପୁଳା ।
ତହୁଁ ଆସି ସାଙ୍ଗ ଧରି ଏକ ଡାଙ୍ଗ
କନାକୁ ଗୁଡାଇ ନିଆଁ
ଲଗାଇ କି ଖରେ ଫୁଙ୍କି ଦେବା ପରେ
ଦେଖିକି ଅଜା ଛାନିଆଁ ।
ତହୁଁ ମିଛେ କାଶି ଚାରିଜଣ ଆସି
କହିଲେ ଅଜା ହେ ଉଠ
ପିନ୍ଧି ଏ ଆଖିଆ ଗାଁ ମୁଣ୍ଡେ ଠିଆ
ହୋଇ ଦେଖ ନଈ ତୁଠ ।
ସାଙ୍ଗ ଜଣେ ଯାଇ ବୁଦା ମୂଳେ ଥାଇ
ମୁହେଁ କିରାସିନି ଢାଳେ
ଫୁଙ୍କି ନିଆଁ ହୁଳା ଜଳାନ୍ତେ ହୁଗୁଳା
କଚ୍ଛା ଭିଡି ଅଜା ଭାଳେ ।
କିରାସିନି ବଳେ ନିଆଁହୁଳା ଜଳେ
ନଈବନ୍ଧ ଖେଳେ ମିତ
ଭୂତ ବା ଡାହାଣୀ ମତି ଭ୍ରମ ଜାଣି
ଗାଆଁ ଲୋକେ ହେଲେ ପ୍ରୀତ ।
ପ୍ରସନ୍ନ କୁମାର ମାଦଳା