ଦୁହିତା
ଦୁହିତା
ଦୁହିତା ଜନମ ଦୁଇ କୁଳକୁ ଲୋ
ଏକଥା କହୁଛି ତୋତେ
ଦୁଇ କୁଳ ହିତ କରେ ସେ ସାଧନ
ଲୁହ ଲହୁ ପିଇ କେତେ !!
ଦୁହିତା ଦୁଲଣି ଭୁଲିତ ଯାଏନି
ପିତୃମାତୃ ସ୍ନେହଁ କେବେ ;
ବିପଦ ଆପଦେ ସିଏ ସାହା ହୁଏ
ନିଅାରା ସମ୍ପର୍କ ଭାବେ !!
ପୁତ୍ର ଭୁଲିଯାଏ ଭାରିଯା ପାଇଲେ
ଦୁହିତା ଭୁଲଇ ନାଇଁ ;
ବାରତା ପାଇଲେ ଆସଇ ସଅଳେ
କାନ୍ଦେ ପୁଣି କଇଁ କଇଁ !!
ଶାଶୁ ନଣନ୍ଦରେ ଘର କରି ମଧ୍ଯ
କହେନାହିଁ ଦୁଃଖ କଥା ;
ହୃଦୟ ଭିତରେ ଅସରନ୍ତି କୋହ
ଦିଏନାହିଁ କେବେ ବ୍ୟଥା !!
ବୃଦ୍ଧ ପିତାମାତା ଆଖିରେ ସପନ
ଦୁହିତା ଦିଅଇ ଭରି ;
ଯୌତୁକ ଯୁଇରେ ଜଳୁଥାଉ ପଛେ
ଲୁହ ପଡ଼େ ନାହିଁ ଝରି !!
ଭାରି ଅଲିଅଳି ଦୁହିତା ଦୁଲଣି
ଯାତନା କୁ ପାରେ ସହି ;
ସ୍ମୃତିଖିଅ ସିନା ଛିଡିତ ଯାଇଛି
ମଥା ପାତି ପାରେ ରହି !!
ଦୁହିତାରୁ ମାତା କରଇ ବିଧାତା
ସୃଷ୍ଟିର ମହକ ପାଇଁ ;
କୋମଳ ପୁଷ୍ପ ସେ ତୋଳି ଧର ହସ୍ତେ
ଆଘାତ କରନି କେହି !!!
ସୁନାର ସଂସାର ଦୁହିତା ଗଢ଼ଇ
ପାଞ୍ଚ ମନ ପୁଣି ମୋହି ;
ଅନ୍ୟାୟ ଅନୀତି କରେନି ସେ ଜାଣି
ପର ଆପଣାର କହି !!
ସେଇ ଆମ ଭଗ୍ନୀ ସ୍ନେହଁ ର ରଙ୍କୁଣୀ
ଦିଅ ନାହିଁ ନିର୍ଯ୍ୟାତନା ;
ସେଇ ଆମ ପତ୍ନୀ ପ୍ରେମସରାଗିନୀ
କରନାହିଁ ଆନମନା !!!
ମାତାବୋଲି ତୁମେ ଯା'କୋଳେ ହସିଲ
ସିଏ ବି 'କାହା ନନ୍ଦିନୀ ;
ସ୍ଵଚ୍ଛ ହୃଦୟରେ କର ସନମାନ
କାହିଁଏତେ ମନ ମାନି !!
କବିଟିଏ ବୋଲି କରୁଛି ବିନତି
ଦୁନିଆ ହସିବା ପାଇଁ ;
ଦୁହିତା ଦୁଲଣି କାନ୍ଦିବନି ଆଉ
ଭରସା ରଖିଲି ଭାଇ !!
.............
ସଦାନନ୍ଦ ସାହୁ
ଧୁରୁଷୀଆ
କଟକ;