ମନ ପକ୍ଷୀ ଉଡି ଉଡି ଯାଏ ....
ମନ ପକ୍ଷୀ ଉଡି ଉଡି ଯାଏ ....
ଆହାରେ କି ସୁନ୍ଦର ଦିଶେ ଚିଲିକାର ସୁନୀଳ ବକ୍ଷ ,
ମୃଦୁ ମଳୟ ସଙ୍ଗେ ଉଡେ ରଙ୍ଗ ବେରଙ୍ଗି ବିହଙ୍ଗ ପକ୍ଷ ।
ଅନନ୍ତ ଆକାଶ ବି ପ୍ରସାରି ହସ୍ତ ଆନନ୍ଦେ ହସେ ,
ନୌକା ବିହାରେ ଏ ଦୃଶ୍ୟ ସତେ ମନକୁ ପରସେ ।
ସେ ତ ଥିଲା ସୁନ୍ଦର ଏବେ ସାଜେ ନୂତନ ବେଶେ ,
ଅନେକ ଦିନ ପରେ ପାଇଛି ପ୍ରେମୀଙ୍କୁ ସେ ତା ପାଶେ ।
ରୂପ ତା ଅସୁମାରୀ ,ସେ ତ ଚୀର କୁମାରୀ ,
କେତେ ଯେ କବି ବରିଲେ ତାକୁ ମନେ ଆଦରି ।
ଭରିନି ମନ କେବେ ,ସରିନି ଭାବ ତା ଭାବେ ,
ଏବେ ବି ମନ ଝରଣା ରୁ କଳ କଳ ନାଦ ଶୁଭେ ।
ଘେରିଛି ସେ ତ ମାନିନୀ କାଳିଜାଇ ,
ଜୀବନ୍ତ ଏବେ ବି ସେ ତା ପରସ ପାଇ ।
ଦେଖିବି ଦେଖିବି ତାକୁ ଟିକେ ସତେ, ଏ ମନ ଗାଏ ,
ମୋର ଆଜି "ମନ ପକ୍ଷୀ ଉଡି ଉଡି ଯାଏ " ।
ହାରିଛି ଏ ଚିଲିକା ଅନେକ ଅମାନିଆ ମନକୁ ,
ତା ବିରହେ କେତେ ଯେ ଚାପିଛି ଲୋତକକୁ ।
ତା ସୌନ୍ଦର୍ଯ୍ୟ ମେଲିଛି କେତେ ଦୁରକୁ ,
ଏବେ ବି ମୋହିଛି କେତେ କେତେ ବିଦେଶୀ ପକ୍ଷୀଙ୍କୁ ।
ଆକାଶ ଖୋଲିଛି ତା ମାର୍ଗ ଚଉଦିଗକୁ ,
ସ୍ୱାଗତ କରେ ସବୁ ତା ବିଦେଶୀ ପ୍ରେମୀଙ୍କୁ ।
ଖୋଲିଛି ରାସ୍ତା ସତେ ତା ଉଆଁସ କକ୍ଷକୁ ,
ଭରୁଛି ଭେଳି ଭେଳି ତା ପ୍ରେମି ଦର୍ଶକଙ୍କୁ ।
ଭେଦିଛି ତା ବକ୍ଷ ଆହୁଲା ବାରମ୍ବାର ,
କିନ୍ତୁ ସହୁଛି ଖୁସି ଖୁସି ସେ ନିର୍ଦୟ ପ୍ରହାର ।
ପାଳିଛି କେତେ ଜୀବ ସେ କରିଛି ବଡ଼ ଆଦର ,
କାନ୍ଦଇ ଲୁଚି ଲୁଚି ଦେଖି ତାଙ୍କୁ ଅନ୍ୟର ଆହାର ।
ମନେ ଭରି ବେଦନା ହୃଦୟେ ଛାପିଛି କୋହ ,
ମୋ "ମନ ପକ୍ଷୀ ଉଡି ଉଡି ଯାଏ "ପୋଛିବ କି ତା ଲୁହ ।
କି ବା ଲେଖିବି ସତେ କେମିତି କହିବି ,
ଶବ୍ଦ ଜ୍ଞାନ ଭାଷା ସବୁ କେଉଁଠୁ ପାଇବି
ଅମାନିଆ ଏ ମନ ତ ବୁଝୁନାହିଁ କିଛି ,
ଚିଲିକା ତୋ ସୌନ୍ଦର୍ଯ୍ୟ ର ନିଶା ସତେ କି ଘାରିଛି !
ଯେତେ ଯେତେ ବାର ତୋତେ ଯିଏ ବି ଦେଖିଛି ,
ତୋତେ ତା ଭାଷାରେ ବର୍ଣ୍ଣିବାରେ ହାରିଛି ।
ହ୍ରଦ ବୋଲି କେହି ଭାବେ କେହି ଦେଖେ ପ୍ରଶସ୍ତ ବକ୍ଷ ,
ଭାବ ରାଇଜରେ ରହି ସର୍ବେ ରଖନ୍ତି ନିଜ ନିଜ ପକ୍ଷ ।
ନୁହଁଇ କବି ନୁହେଁ ଭାବୁକ,
ମୁଁ ଜଣେ ତୋର ଦର୍ଶକ ,
ରଖୁନି ମୋ ପକ୍ଷ, ନୁହେଁ ମୁଁ ଦକ୍ଷ, ଏକ ପ୍ରକୃତି ପ୍ରେମିକ
କେହି କିଛି କହୁ, ଭାବୁ ମୋତେ ପାଗଳ ,
ହେଲେ "ମନ ପକ୍ଷୀ ଉଡି ଉଡି ଯାଏ "ହୋଇ ଭାବେ ବିହ୍ଵଳ ।।