ନ୍ୟାୟ
ନ୍ୟାୟ
ହେ ନ୍ୟାୟ
ତୁମେ ଧରମର ଧର୍ମପୁତ୍ର
ତୁମେ ପୁଣ୍ୟର ମାନସପୁତ୍ର
ନୀତି ନିୟମର ମହୌଷଧି ଧରି
ପଦାର୍ପଣ କର ଯେବେ ପୁଣ୍ୟଭୂମିକୁ
ନିର୍ଦ୍ଦୋଷର କୁଞ୍ଜବନେ ପ୍ରସ୍ଫୁଟିତ ହୁଏ ଭରସାର ରାଜନୀଗନ୍ଧା
ଦୋଷୀର ଭାଗ୍ୟକାଶେ ନିକ୍ଷେପିତ ହୁଏ ଯନ୍ତ୍ରଣାର ଧୂମକେତୁ
ତୁମେ କିନ୍ତୁ ସାଜ ସ୍ଥିତପ୍ରଜ୍ଞ
ସମାନତାର ବାର୍ତ୍ତା ଦେଇ
ନିଷ୍କଳଙ୍କ ହେବାର କର ଦୃଢ଼ ସଂକଳ୍ପ।
ହେ ନ୍ୟାୟ
ତୁମେ ଗୀତାରେ ସଂଜୀବନୀ
ତୁମେ ରାମାୟଣରେ ମାର୍ଗଦର୍ଶକ
ଶାନ୍ତିର କପୋତ ସାଜି
ଆବିର୍ଭାବ ହୁଅ ଯେବେ ଆର୍ଯ୍ୟ ସମାଜରେ
ଅନାର୍ଯ୍ୟର ହଂସା ବୁଡିଯାଏ
ଦଣ୍ଡର ବିକଟାଳ ରୂପ ଦେଖି ସେ ଚମକିଯାଏ
କ୍ଷମା ପ୍ରତିରୂପକୁ ମୁଣ୍ଡ ନୂଆଁଏଁ
ତୁମେ କିନ୍ତୁ ସାଜ ନିର୍ବିକାର
ଦୁଇ କୁଳର ସଙ୍ଗମରେ ସୃଷ୍ଟି କର
ଆନନ୍ଦର ଅଶାନ୍ତି ଅଟ୍ଟାଳିକା।
ହେ ନ୍ୟାୟ
ବିଶ୍ଳେଷଣରେ ତୁମେ ବିଚାରବନ୍ତ
ସଂଶ୍ଳେଷଣରେ ତୁମେ ମହାନ ଆତ୍ମା
ସମାଜ କଲ୍ୟାଣର ଗତିପଥେ
ଚଳାଅ ଯେବେ ସମ୍ବିଧାନର ନୌକା
କୁନି ପ୍ରଶଂସାଟା ହାତଠାରି ଡାକେ
ସ୍ଵଚ୍ଛ ଧର୍ମ ନିକିତିଟା ମୁରୁକି ହସେ
ତୁମେ କିନ୍ତୁ ସାଜ ଶାନ୍ତ ପଥିକ
ଆଶ୍ବାସନାର ଗଙ୍ଗା ଜଳ ଛିଞ୍ଚି
ଆହ୍ୱାନ କର କରିବାକୁ ସତ୍ ପଥର ଅନୁସରଣ।