ଲେଖନୀର ରସିକତା
ଲେଖନୀର ରସିକତା
କେଉଁ ଚିତ୍ରକର ରଙ୍ଗତୁଳୀ ଧରି
ଆଙ୍କିଲା ତୋର ରୂପକୁ,
ଶତ ରୂପବତୀ ସରମେ ଲୁଚନ୍ତି
ମୁହାଁ ମୁହିଁ ହୋଇବାକୁ ।
ପ୍ରାଚୀରୁ ଆଣିଲା ନାରଙ୍ଗୀ ଲୋହିତ
ଲେଖିଲା କୁଙ୍କୁମ ଟୀକା,
ପ୍ରତୀଚୀଠୁଁ ଆଣି ଅପୂର୍ବ ବର୍ଣ୍ଣାଳୀ
ତହିଁ ଟାଣେ ସରୁ ଚିତା ।
ରାତିକୁ ମାଗିଲା କାଳିମାର କଳା
ବୋଳିଲା ତୋ ଘନ କେଶେ,
କଜଳପାତିଠୁଁ ଉଧାରରେ ଆଣି
ଲଗାଏ କଜଳ ନେତ୍ରେ ।
ସଜ ଗୋଲାପର ଗୋଲାପୀ ରଙ୍ଗରେ
ଆଙ୍କି ଦେଲା ତୋର ଓଠ,
ସତ ଗୋଲାପ ବି ଲାଜେ ମଉଳନ୍ତି
ଦେଖି ତୋ ଅଧର ହସ ।
ହଂସକୁ ମାଗିଲା ତା ଦେହର ଧଳା
ହିସାବି ଠିକଣା ଭାଗ,
ହଳଦୀବସନ୍ତ ହଳଦିଆ ରଙ୍ଗେ
ମିଶି ତିଆରିଲା ଲେପ ।
ସେ ଲେପକୁ ନେଇ ତୋ ଦେହେ ଲେପିଲା
ବର୍ଣ୍ଣ ତୋ ହଳଦୀ ଗୋରା,
ହଜାରେ ରଙ୍ଗରେ ନିଆରା ସେ ରଙ୍ଗ
ଦିଶୁ ଅପରୂପା ପରା ।
ଆଖି ବୁଜିଲେ ତୁ ଭାବନାରେ ଆସୁ
ସମ୍ମୁଖେ ସ୍ଵପ୍ନର ଭ୍ରମ,
କୋଟି ପୂଣ୍ୟ ସତ୍ତ୍ଵେ ତୋ ପ୍ରାପ୍ତି ଦୁର୍ଲଭ
ମୁଁ କିବା ଛାର ଅଧମ ।
ତୋତେ ଦେଖି ଦେଲେ କଷଣ ଭୁଲଇ
ବଞ୍ଚିବାକୁ ପାଏ ଆଶା,
ତୋତେ ଭଲ ପାଏ, ତୋ ପାଇଁ ତ ଜୀଏଁ
‘ନୀରବ’ ମୋ ପ୍ରେମ ଭାଷା ।