ଶେଷ କୃତଜ୍ଞତା
ଶେଷ କୃତଜ୍ଞତା
1 min
6.9K
କି ସରଳ ତୋର ଆଚରଣ ସତେ ଅନାବିଳ ତୋର ପ୍ରେମ ।
ସେ ପ୍ରେମେ ନ ଥାଏ ଛନ୍ଦ ଓ କପଟ ଗୁଣ ତବ ଅନୁପମ ।।
ମା ଡାକ ଆଉ ଲାଗେ ଯେ ସପନ ମୁଖେ ବାହାରୁନି ଏବେ ।
ବାହାରିଲେ ଅବା କିଏ ବା ଶୁଣିବ ସବୁଦିନ ପାଇଁ ତେବେ ।।
କେତେ ଦାବି ଆଉ କେତେ ଯେ ଅଝଟ କେତେ ଯେ ଦେଇଛୁ ଗାଳି ।
ଆଶୀର୍ବାଦ ବୋଳା ସେ ଗାଳି କାହିଁ ମା ନାହିଁ ସେ ସଂପର୍କ ମାଳି ।।
ଜୀବନ ଯାକର ବିଷତକ ପିଇ ବାଣ୍ଟିଲୁ ତୁହି ପୀୟୂଷ ।
ଦୁଃଖ.ଝଡ ଝଞ୍ଜା ଖାତିର ନ କରି ଫୁଟେଇଲୁ ମୁଖେ ହସ ।।
ଶେଷ ଅବସ୍ଥାରେ ମୁହିଁ ହତଭାଗା ଦେଖି ନ ପାରିଲି ତୋତେ ।
ସବୁ ମୋହ ତୋର କଟାଇ ଯେ ଦେଲୁ ବଞ୍ଚିବି କହ କେମନ୍ତେ ।।
ନିଜେ ଦୁଃଖ ସହି ଆଜୀବନ ତୁହି ମଣିଷ କରିବା ପାଇଁ ।
ତ୍ଯାଗ ବଳିଦାନ କେ ଅବା ସହିବ ସର୍ବସ୍ବ ଓଜାଡି ଦେଇ ।।
ସରଳ ଜୀବନ ଉଚ୍ଚ ତୋ ଚିନ୍ତନ ତୋ ପରି କେହି ନାହିଁ ।
ପୁତ୍ର କନ୍ଯା ସ୍ୱାର୍ଥ ପାଇଁ ତୋ ଲଢେଇ ତାର ତୁଳନା ନାହିଁ ।।
ବନ୍ଧୁ କୁଟୁମ୍ବଠୁ ପଡୋଶୀ ସଭିଏଁ ଗାଆନ୍ତି ତୋର ଗାରିମା ।
ପାଖରେ ଥାଇ ମା ଚିହ୍ନି ପାରିଲୁନି ତୋର କିରତି ମହିମା।।
ପର ଓ ଆପଣା ନ ବିଚାରି ତୁହି ଡାକି କହିଥାଉ କଥା ।
ଜୀବନଟା ଯାକ ଲୁହ ପିଇଗଲୁ ଦେଲୁନି ଆମକୁ ବ୍ୟଥା ।।
କେଡେ ନିରିଦୟ ଜଗତର ନାଥ ଛଡେଇ ନେଲ ଆମଠୁ
ତବ ସେନେହର ନାହିଁ ପଟାନ୍ତର ବଡ ଯେ ବିଭୁ କୃପାଠୁ ।।