ସରି ସରି ଯାଏ ସମୟ
ସରି ସରି ଯାଏ ସମୟ
କହିବାକୁ ଅଛି ଅନେକ କଥା , ଶୁଣିବ କି ନାହିଁ ତୁମେ କୁହନା ।
ବୁଝେଇବାକୁ ଶବ୍ଦ ଖୋଜି ବୁଲେ, ବୁଝିବ କି ନାହିଁ ମୁଁ ତ ଜାଣେନା ।।
ଅପେକ୍ଷାରେ ସରି ସରି ଯାଉଅଛି, ମନର ମୋର ସବୁ ସରାଗ ।
ଥରେ ଚାଲିଗଲେ, ସମୟ ହାତରୁ, ଫେରିବନି ସେ କେବେ ଜାଣତ ।।
କହିଦେଲେ ତୁମେ !, ପକ୍ଷୀ ଟିଏ, ହୋଇ ଯିବାକୁ, ମୋର ଆପତ୍ତି ନାହିଁ ।
ଯଦି ରଖି ପଂଜୁରିରେ, ନିଜ ହାତେ ଦିଅନ୍ତ, ନିତି ଦାନା ଖୁଆଇ ।।
ସୁଖ ଦୁଃଖ, ହସ ଖୁସି ନିତି ବାଣ୍ଟନ୍ତ ,ମୋର ପାଖରେ ଆସି ବସି ।
ପୋଷା ମାନି ଯାଇ ଅଚିରେ, ଥଣ୍ଟେ ଖୁମ୍ପି ହାତ ତୁମ ଯାଆନ୍ତି ଚୁମି ।।
କହିଦେଲେ ତୁମେ !, ନଈ ହୋଇ, ବହି ଯାଆନ୍ତି ତୁମ ଗାଁଆ ପାଖରେ ।
ଆସନ୍ତ ନିତି ଗାଧୋଇ, ଏକୁଟିଆ ନିଛାଟିଆ, ଖରା ବେଳଟାରେ ।।
ପରଶେ ତୁମ ଶିହରି ଉଠନ୍ତି, ଢେଉ ପରେ କେତେ, ଢେଉ ଖେଳାଇ ।
ପହଂରି ଯାଆନ୍ତ ଏ କୁଳୁ ସେ କୁଳ, ବାହୁରେ ତୁମ ମତେ ଜଡାଇ ।।
କହିଦେଲେ ତୁମେ !, ହୋଇ ଯାଆନ୍ତି, ନୀଲ ଆକାଶର ପୁନେଇଁ ଜହ୍ନ ।
ଛାତ ପରେ ବସି ଦେଖନ୍ତ, ଅସ୍ତ ହେବାକୁ ମୋର, ନାହିଁ ହୁଅନ୍ତା ମନ ।।
ଗାଉଥାନ୍ତ ଗୀତ ଗୁଣୁ ଗୁଣୁ ହୋଇ, କିଛି ତ ମିଠା ମିଠା ସ୍ଵରରେ ।
ବାଦଲ ଉହାଡୁ ଦେଖୁଥାନ୍ତି ଲୁଚି, ମିଶୁ ଥାନ୍ତା ଆଖି ତୁମ ଆଖିରେ ।।
କହିଦେଲେ ତୁମେ !, ବଗିଚାରେ ତୁମ, ଫୁଟନ୍ତି ହୋଇ ଗୋଲପ ଫୁଲ ।
ପାଣି ଦେବା ବାହାନାରେ, ଆସି ଛୁଇଁ ଯାଉଥାନ୍ତ, ମତେ ଥରକୁ ଥର ।।
ଖୋସାରେ ଖୋସି, ଦର୍ପଣ ଆଗରେ ଦେଖନ୍ତ, ନିଜକୁ ହୋଇ ବିଭୋର ।
ମିଳନର ସେଇ ମୁହୁର୍ତ୍ତ, ରହି ଯାଆନ୍ତା, ସେଇଠି ହୋଇ ସ୍ଥବିର ।।
ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା