ଜହ୍ନର ସୁଇଟର
ଜହ୍ନର ସୁଇଟର
କହିଲା ଜହ୍ନ ମା'କୁ ଦିନେ
ସୁଇଟର ଗୋଟେ ବୁଣ ମୋ ପାଇଁ,
ସାରା ରାତି ବୁଲେ ଖୋଲା ଆକାଶେ
ଶୀତରେ ଦେହ ମୋ ଥରି ଉଠଇ।
ମା କହିଲେ ଶୁଣରେ ଧନ
କେମିତି ବୁଣିବି ତୋ ମାପ ନେଇ,
ଠିକଣା ନାହିଁଯେ ତୋ ଦେହର
ଆକାର ତାହାର ନିତି ବଦଳଇ।
କେବେ ବଢୁ ପୁଣି କେବେ ତୁ କମୁ
ଦେଖାଯାଉ କେବେ ପୂର୍ଣ୍ଣ ରୂପରେ,
କେବେ ଅଧା, କେବେ ଦା' ଧାର ପରି
ପୁଣି ଲୁଚିଯାଉ ପୁରା ଅମାବାସରେ।
ବଢିବା କମିବା ପ୍ରକୃତି ତୋର
ସେଥିକୁ ନାହିଁରେ କାହାରି ଜୋର୍,
ସମାନ ରୂପରେ ନିତି ରହୁଥିଲେ
ବୁଣିଥାନ୍ତି ନିଶ୍ଚେ ତୋ ସୁଇଟର।