ଅନ୍ନଦାତାର ଆର୍ତ୍ତନାଦ
ଅନ୍ନଦାତାର ଆର୍ତ୍ତନାଦ
ସକାଳ ନ ହେଉଣୁ ଉଠିପଡେ ସନେଇ
ସତେଜ ମନରେ କେତେ ଯେ ସତେଜ ସ୍ଵପ୍ନ ବୁଣି
ଛିଣ୍ଡା ଖଟିଆରୁ ପ୍ରଥମ ପାଦ ଥାପେ ମାଟି ଉପରେ
ଆଖି ମଳି ମୁହଁ ଧୁଏ
ଦନେଇ ବୋଉ ନ ଉଠୁଣୁ
କାଳିଆ କସରାକୁ ସାଙ୍ଗରେ ନେଇ
ବାହାରି ପଡେ ସେଇ ଚିର ସାଥି କରମ ଭୁଇଁକୁ
ମାଟି ସହ ମାଟି ହେବାକୁ
ନିର୍ଜୀବ ସେଇ ସ୍ଵପ୍ନ ସବୁକୁ
କଙ୍କାଳସାର ଶରୀରରୁ ରକ୍ତ ସିଞ୍ଚି
ହ...ହ ... ତ...ତ..ଗୋଡ ...ଗୋଡର
ସଞ୍ଜୀବନୀ ମନ୍ତ୍ରରେ ଜୀବନ୍ୟାସ ଦେବାକୁ ।
ଫି’ ଦିନ ପରି
ସୁରୁଜ ନ ଉଠୁଣୁ
ଆରମ୍ଭ କରିଦିଏ ତାର ଗବେଷଣା
ସୁନା ଫସଲ ଫଳେଇବାର ସ୍ଥିର ସିଦ୍ଧାନ୍ତରେ
ମାଟି ସହ ଆରମ୍ଭ କରେ ତାର କସରତ
ଦି’ ମୁଠା ଦାନା ଆଉ ଦି’ ହାତ କନା ପାଇଁ
ପୁଣି ତା ଉପରେ ନିର୍ଭର କରେ
ଦନେଇ ବୋଉର ଚିରା ଶାଢୀ ବଦଳରେ ନୂଆ ଶାଢୀର ବରାଦ
ଦନେଇର ନୂଆ ଜାମା ,ପାଠ ପଢା ବହି ଖାତା
ବୁଢା ବାପାର ଦୂରାରୋଗ୍ୟ ରୋଗ ପାଇଁ ଔଷଧ
ବତାସରେ ଉଠିପଡ଼ି ଥିବା ଦରଭଙ୍ଗା ଛାତର ଭବିଷ୍ୟତ ।
ସେଇଥି ପାଇଁ ତ
ସବୁଦିନ ପରି ଆଜି ବି ସେ ମାତେ ଗବେଷଣାରେ
ସେଇ ନୁଖୁରା ମାଟିର ପରୀକ୍ଷାଗାର ଭିତରେ
ମାଟି ସହ ନିଜକୁ ମାଟି କରି
ଶରୀରରୁ ବୁନ୍ଦା ବୁନ୍ଦା ଝାଳ ବଦଳରେ ରକ୍ତ ନିଗାଡ଼ି
ସେ ସ୍ଵପ୍ନ ବୁଣେ
ଭାରି ନୀରବ ସ୍ଵରରେ
ନିର୍ଜୀବ ସେଇ ସ୍ଵପ୍ନ ସବୁର
ଅନ୍ଧାରୁଆ ଭବିଷ୍ୟତ ଭିତରେ
ଧାରିର ଆଶାର ଆଲୋକକୁ ସାହାରା କରି
ସେ ଲଢି ଚାଳେ ଖରା, ବର୍ଷା, ଶୀତ, ଝଡ, ତୋଫାନ ସାଥିରେ
ନିଜ ପାଇଁ ନୁହେଁ ପର ପାଇଁ
ଚାରି ହାତର ଶରୀରରେ ଚାରି ଆଙ୍ଗୁଳିର କନା ଘୋଡେଇ ।
ତଥାପି ସେ ହାରେନି
ହୃଦୟର ଅସଂଖ୍ୟ ଆର୍ତ୍ତନାଦକୁ
ହୃଦୟରେ ଚାପି ଦେଇ
ଭାରି ସହଜରେ ହଜମ କରିନିଏ
ପୁଣି ବସି ରୁହେ
ତାର ଅନିର୍ଦ୍ଦିଷ୍ଟ ଭବିଷ୍ୟତର
ବିନ୍ଦୁଏ ଆଶାର ଆଲୋକ ହାତରେ
ନିଜର ସମଗ୍ର ଭବିଷ୍ୟତକୁ ସମର୍ପି ଦେଇ
ଆଉ ଏକ ସୂର୍ଯ୍ୟୋଦୟର ଅପେକ୍ଷାରେ ।