ଯାତ୍ରାରମ୍ଭ
ଯାତ୍ରାରମ୍ଭ
ଅଙ୍ଗୁରବାଳା ପରିଡ଼ା
ନା, ଦାତା !
ନା, ଗ୍ରହୀତା !
ଓଲଟ ବୃକ୍ଷର ଏ ଚିମୁଟେ ଜୀବନ
ଅଧାଅଧା ବୁଝି ହେଉଥିବ
ଗୋଟେ ସୁଦୀର୍ଘ କବିତା ।
ସମୟର ସରହଦ ନାହିଁ
ଋତୁ ନାହିଁ ବୀଜ ବପନର,
ଓଦାଓଦା ଅନ୍ୟମନସ୍କତାର
ଆର୍ଦ୍ର ଭୂଇଁରେ
ଆବେଗର ଉଷ୍ଣତାରେ
ପଲ୍ଲବି ଉଠୁଥିବା ଦି’ କାନି
ସବୁଜ ପ୍ରେମର ଉନ୍ମେଷ
କ’ଣ କମ ବଡ଼ କଥା !
ଅସ୍ଥାୟୀ ଜୀବନ, ଅସ୍ଥିର ଭାଗ୍ୟ
ଅହରହ ଆତଯାତ ହଉଥିବା
କିଛି ଅଳୀକ ସମ୍ପର୍କର
କୋଳାହଳ ବି
ଏକ ଦୀର୍ଘ ନିରବତା ।
ଦିଗନ୍ତ ବିସ୍ତାରି ସମୁଦ୍ର ଓ ଆକାଶ
ଯେଉଁଠି ଏକାଠି , ମିଳନ୍ତି
ରକ୍ତିମ ଆକର୍ଷଣଟେ ହୋଇ
ଚନ୍ଦ୍ର, ସୂର୍ଯ୍ୟ ଯେଉଁଠି
ସ୍ଥାପିତ ହୋଇଥା’ନ୍ତି
ସେଇଠୁ ଶୁଭେ
ପ୍ରାତଃ ବନ୍ଦନା ଓ ସନ୍ଧ୍ୟା ଆଳତିର
ସୁମଧୁର ଜୀବନ ସଙ୍ଗୀତ,
ମତେ ଅତିକ୍ରମିବାର ଅଛି
ସେଇଯାଏ ରାସ୍ତା ।
ପ୍ରେମ ହିଁ ଦେଇପାରେ
ଦିଗନ୍ତର ସ୍ପର୍ଶ
ଅପହଞ୍ଚ ଇଲାକାର
ଅଦୁର ସଂସ୍ପର୍ଶ ।
ଆସ, ହାତ ବଢ଼େଇ ଦିଅ
ମାଙ୍ଗଳିକ ମନ୍ତ୍ରପାଠରେ
ମହକିତ ହେଉ
ଆମ ଯାତ୍ରାରମ୍ଭ.... ।।