ଗ୍ରୀଷ୍ମ ବର୍ଣ୍ଣନା- ୨
ଗ୍ରୀଷ୍ମ ବର୍ଣ୍ଣନା- ୨
ଦୀନକୃଷ୍ଣ ଦାସ
କୃପଣ ଧନ ସଞ୍ଚିଲାପ୍ରାୟେ ମଧୁ ସଞ୍ଚିଲେ ମଧୁକରମାନେ।
କେ ଜଳଛତ୍ର ପବିତ୍ରମାନେ ଦେଲେ ବ୍ରାହ୍ମଣକରେ ସ୍ଥାନେ ସ୍ଥାନେ।
ସୁଜନେ, କଉଁ ଈଶ୍ୱର ଅନୁଗ୍ରାହୀ।
କର୍ପୂର ଚନ୍ଦନ ଅଙ୍ଗେ ବୋଳି ହୋଇ ଧାରାମଣ୍ଡିତ ପୁରେ ରହି ।୯।
କେ ଗୀତ କବିତ୍ୱ ବେଣୁ ବୀଣା ନୃତ୍ୟରଙ୍ଗେ ଦିନମାନ ହରନ୍ତି।
କେ ବସି ଏକାନ୍ତେ କାମିନୀ ସଙ୍ଗତେ ଚନ୍ଦନ ପିଚିକା ମାରନ୍ତି।
ସୁଜନେ, କେ କରେ ନଉକା ବିହାର।
କେ ସ୍ୱେଦ ଭୟରେ କରତଳୁ ତାଳବୃନ୍ତ ନ କରଇ ବାହାର ।୧୦।
କେ ଦିନ ଶେଷରେ ଦିନକର-କରେ ତାପପାଇ ଜଳେ ବୁଡଇ।
କେ ମହା ବିକଳେ ବସି ଶୀତ ସ୍ଥଳେ ଶୀତଳ ପବନ ଲୋଡ଼ଇ।
ସୁଜନେ, କେତେ କହିବି ଏ ପ୍ରସଙ୍ଗ।
କେବଳ ଶୀତକାରକ ଦ୍ରବ୍ୟବିନୁ ଆନ ଲୋଡ଼ିଲା ନାହିଁ ଅଙ୍ଗ ।୧୧।
କାନ୍ତ ପ୍ରବଳ ଗ୍ରୀଷମରେ ବିକଳ ହୋଇ ସକଳ ଗୋପାଙ୍ଗନା।
କରିବେ ବୋଲି ଜଳକ୍ରୀଡ଼ା ଚଞ୍ଚଳ ହୋଇଲେ ଚଞ୍ଚଳ ନୟନା।
ସୁଜନେ, କମଳା କୁଟିଳ କୁନ୍ତଳା।
କାମ କେଳିକଳା କୁଶଳା ସୁଶୀଳା କେତକୀ ଗୌରୀ ପ୍ରେମଶୀଳା ।୧୨।
କରୀ-କୁମ୍ଭସ୍ତନା କୋକିଳ ବଚନା କୁନ୍ଦକଳି ଚାରୁଦଶନା।
କୁଟିଳ ଦଶନା ପ୍ରସନ୍ନ ବଦନା ଶ୍ରୀକୃଷ୍ଣଚନ୍ଦ୍ର ସ୍ନେହଘନା।
ସୁଜନେ, କୂପକ-ନିତମ୍ବ ଶୋଭନା।
କେଶରୀ-ମଧ୍ୟମା କଉତୁକ ସୀମା କୁଞ୍ଜବନ କେଳିଲୋଭନା ।୧୩।
କଳାକର ହାସୀ, କମଳ ସୁବାସୀ କ୍ରୀଡ଼ା-ମାନସ କଳହଂସୀ।
କୃଷ୍ଣ ମନମୀନ-ଆକର୍ଷ ବଡ଼ଶୀ କନ୍ଦର୍ପ ଦର୍ପ-ତମଶଶୀ।
ସୁଜନେ, କାମତରଙ୍ଗିଣୀ ତରଣୀ।
କରନ୍ତେ ଗଗନ ଅତି ଶୋଭବନ ଦିଶଇ ଧରଣୀ ସରଣୀ ।୧୪।
କଳରବ କରେ କନକ କିଙ୍କିଣୀ ବାଜଇ ବାଜେଣୀ ନୂପୁର।
କାମ ପ୍ରହଣ୍ଡ ମଣ୍ଡାଇ ନେଲାପ୍ରାୟେ ଶୁଭଇ ଅତ୍ୟନ୍ତ ସୁସ୍ୱର।
ସୁଜନେ କମଳ ବିଞ୍ଚିଲା ପରାୟେ।
କିଶଳୟ ପାଦପନ୍ତି ବିକାଶନ୍ତି ପଦପଦକେ ସୁଖମୟେ ।୧୫।
ସମାପ୍ତ