ପାହାନ୍ତା
ପାହାନ୍ତା
ନନ୍ଦକିଶୋର ବଳ
ରାତି ପହିଲାଣି କାକ ରାବିଲାଣି
ପୂରୁବ ଆକାଶ ସିନ୍ଦୁରମୟ ,
ବହଇ ଶୀତଳ ପାହାନ୍ତା ପବନ
କି ସୁନ୍ଦର ଆହା ଏହି ସମୟ ।
ପକ୍ଷୀମାନେ ଆସି ଡାଳେ ଡାଳେ ବସି
ଗାଉଛନ୍ତି ଗୀତା କିବା ସୁନ୍ଦର ,
ଶୁଣିଲେ ସେ ଗୀତ ଲାଖିଯାଏ ଚିତ୍ତ
ଉଠ ଉଠ ଆଉ ମଠ ନ କର ।
ଗଛରୁ କାକର ପଡେ ଝରଝର
ବିନ୍ଦୁ ବିନ୍ଦୁ ମଣ୍ଡି ଘାସ ପତର ,
ଇନ୍ଦ୍ରନୀଳମଣି ଗଛରେ ଫଳିଛି
ସ୍ଵଛ ହୀରାଫଳ କିବା ସୁନ୍ଦର !
ନାନା ଜାତି ଫୁଲ ଫୁଟି ଚହଟଇ
ଦିଗ ମହକଇ ଫୁଲ ସୁବାସେ ,
ମିଠା ମିଠା ଖରା ପିଢା ଗଛ ପତ୍ରେ
କିବା ସୁନାବନ ସୋଭା ପ୍ରକାଶେ ।
ଏ ନୀଳ ଆକାଶ ସୁନ୍ଦର ପୃଥିବୀ
ଯାହାଙ୍କ ମହିମା ପ୍ରଚାର କରେ ,
ସେ ପ୍ରଭୁଙ୍କ ନାମ ଚାଲ ହେ ଗାଇବା
ଏ ପବିତ୍ର କାଳେ ଭକତି ଭରେ ।