ହେ ସୃଷ୍ଟି,ତୁମେ ଅମ୍ଳାନ !
ହେ ସୃଷ୍ଟି,ତୁମେ ଅମ୍ଳାନ !
ହେ ସୃଷ୍ଟି ,ତୁମେ ତ ଅମ୍ଳାନ ମହାର୍ଘ
ବ୍ରହ୍ମାଣ୍ଡ ଈଶ୍ୱର
ବର ଶ୍ରେଷ୍ଠ ବରଦାନ ।
ସ୍ଥାବର ଜଙ୍ଗମ, ଅଣୁ ପରମାଣୁ
ଗ୍ରହ ଓ ନକ୍ଷତ୍ର
ସବୁ ତୁମ ଉପାଦାନ ।
ନବ ଗ୍ରହ ଆଉ ଦୈବିକ ବିଗ୍ରହେ
ବିସ୍ତୀର୍ଣ୍ଣ ପ୍ରକୃତି
ତୁମରି ପ୍ରତିଟି ଅଙ୍ଗ ।
ଅଙ୍ଗେ ଅଙ୍ଗେ ତୁମ ସଜୀବ ନିର୍ଜୀବ
ଖେଳି ବୁଲୁଛନ୍ତି
ରଙ୍ଗ ଶାଳା, ଦିବ୍ୟ ରଙ୍ଗ ।
ହେ ସ୍ରଷ୍ଟା, ତୁମେ ଯେ ବିଧାନ କରତା
ତୁମ ସମ୍ବିଧାନେ
ରଖିଛ ବେଦ ମହାତ୍ମ୍ୟ ।
ବିଧିରେ ବିଧିରେ ବିସ୍ତାର କରିଛ
ଅଖିଳ ବ୍ରହ୍ମାଣ୍ଡ
ସୃଜନୀ ସୌମ୍ୟ ,ସୁରମ୍ୟ ।
ସପ୍ତର୍ଷି ମଣ୍ଡଳେ ଧ୍ରୁବ ସତ୍ୟ ପରି,
ନିଷ୍ଠାରେ ନିଷ୍ଠାରେ,
ସତ୍ୟକୁ ସାକ୍ଷୀ ପ୍ରମାଣ ।
ରଚି, ରଚାଇଛ ବେଦ ଓ ବେଦାନ୍ତ
ବୈଦିକ ମାନବ
ଧନ୍ୟ ତୁମ ଅଭିଧାନ ।
ତୁମ ଅଭିଧାନେ ମାନବ ଜନମ
ମାନସ ସମ୍ଭୂତ
ଶ୍ରେଷ୍ଠତମ ଜୀବନ୍ୟାସ ।
ଦୟା,ସ୍ନେହ,କ୍ଷମା ଉଦାରତା ଗୁଣେ
ଅଳଙ୍କୃତ କରି
ସୃଜିଛ କରି ମଣିଷ ।
ରୁକ୍,ଯଜୁଃ,ଶାମ ଅଥର୍ବ ଭିତ୍ତିରେ
ଆଙ୍ଗିକ ରୂପରେ
ବେଦକୁ କଲ ବିଭକ୍ତ ।
ଆତ୍ମିକ ବ୍ୟାଖ୍ୟାରେ ଏକ ମାନବତ୍ୱ
ବ୍ରହ୍ମାଣ୍ଡ ଭାତୃତ୍ବ,
ଶାଶ୍ୱତ ଓ ସାର ତତ୍ତ୍ୱ ।
ଜାତି,ଧର୍ମ,ବର୍ଣ୍ଣ, ସଂକୀର୍ଣ୍ଣ, ବିସ୍ତୀର୍ଣ୍ଣ
ବର୍ଣ୍ଣାଢ୍ୟତା ଭାବ
ଏ ଧର୍ମରେ ରୁହେ ନାହିଁ ।
ମାନବ ଧର୍ମ ୟେ ମାନବେ ମାନବେ
ବାତ୍ସଲ୍ୟ ବନ୍ଧନେ
ବ୍ୟାପିଅଛି ବାନ୍ଧି ହୋଇ ।
ପ୍ରତି ମଣିଷର ଓଠରେ ଓଠରେ
ହସର ପସରା
ମାନବ ପଣିଆ ଦିଏ ।
ଅନ୍ୟର ହସକୁ ନିଜ ସୁଖ ଭାବି
ମିତ୍ରତା ମାନସେ
ନିଜେ ମହାସୁଖୀ ହୁଏ ।
ହେ ବନ୍ଧୁ,ମାନବ ବରିଷ୍ଠ ବିଭବ
ଶାନ୍ତି,ମୈତ୍ରୀ ନେଇ
ତୁମେ ଈଶ୍ୱରଙ୍କ ଦୂତ ।
ମଣିଷଙ୍କୁ ଦେଇ ମଣିଷ ବେଭାର
ସିଦ୍ଧିଛ ଜୀବନ
ପ୍ରଭୁଙ୍କ ପରମ ମିତ୍ର ।
ଏ ମଣିଷ ଭାଇ ଆଗଭର ହୋଇ
ଯୋଗରେ,କର୍ମରେ
ପ୍ରୀତିର ଗୀତି ଗାଇବା ।
କପଟ ଛଳନା ଅବା ପ୍ରବଂଚନା
କିଛି ବି ନ ଥିବ
ସୁରମ୍ୟ ସୁରେ ବଂଚିବା ।
ଅପୂର୍ବ ସଂକଳ୍ପ ପବିତ୍ର ପୁଲକ
ମମତାର ଡାକ
ତୁହାଇ ତୁହାଇ ଦିଏ ।
ତାହା ହିଁ ଆମରି ମାନବ ଧରମ
ଈଶ୍ୱର ଆଗରେ
ମୈତ୍ରୀର ଗୀତି ଗାଏ ।