ମୋ ପରି ବାଟଟିଏ
ମୋ ପରି ବାଟଟିଏ
କିଛି ରାସ୍ତା କୋଉଠି କି ବି ଯାଏନି !!
ବୁଦୁବୁଦିଆ ଖଣ୍ଡେ ଜମିରେ
ଶିରାଳିଆ ଗାରଟିଏ ପରି
ନାମକୁ ମାତ୍ର ପଡ଼ିଥାଏ,
ଘାସଚଢ଼ା, ଅମଡ଼ା ହୋଇ,
ଜନ୍ମ ବେଳରୁ ବଞ୍ଚିଥାଏ,
ବଞ୍ଚିତ ହୋଇ ବାଟୋଇଟିଏରୁ ।
ଖରାଠୁଁ ଶୀତ,
ବର୍ଷାଠୁଁ ବସନ୍ତ--
ଅପଲକେ ସେମିତି ଅନେଇ ଥାଏ
କାଳେ କିଏ ଆସିଯିବ;
ତାକୁ ଦେଖି ଆଉ କେତେଜଣ--ଏମିତି
ପାଦ ପରେ ପାଦ, ଝୁଣ୍ଟାଝୁଣ୍ଟି, ଦୌଡ଼ାଦୌଡ଼ି,
ମୁକ୍ତି ପାଇଯିବ ତା ଉପରେ ଜବରଦସ୍ତ
ଘାସ ବୁଦାଙ୍କର ମାଲିକାନାରୁ--
ଅବାଟଟା ଅବା ବାଟ ହୋଇଯିବ।
ମୁଁ ବି ତ ସେମିତିକା ବାଟ ଟିଏ;
କିଛି ଅନାବନାକୁ ଆବୋରି ବସିଛି
ଭାବନାର ଆରମ୍ଭରୁ ଶେଷ ଯାଏଁ,
କିଛି ସତ କିଛି ମିଛ
କିଛି ଅତୀତ କିଛି ଗପ,
କବିତାର ଚିତ୍ରକଳ୍ପ ପରି,
ଅଛି ବୋଲି ଦିଶୁଛି--
ନଦିଶିଲେ ବି ଖୋଜା ପଡ଼ନ୍ତିନି।
ଯଥାର୍ଥରେ ପଳାଶ ଫୁଲ ଟିଏ--
କିଆରୀକଡ଼ର, ଯାହା ପାଇଁ--
ପ୍ରଶଂସା ହିଁ ନିନ୍ଦା !!
ଯଦି କେବେ କିଏ ପଚାରି ଦିଏ----
"ଇଏ କି ଫୁଲ?", ଉତ୍ତରରେ--
"ଇଏ ସେ ଫୁଲ ଯାହାର ରୂପ ମାତ୍ର ଅଛି,
ବାସର ବ୍ୟତୀତ"--ସେ ହସିବ ନା କାନ୍ଦିବ--
କେବଳ ନିର୍ଲଜ୍ଜ ପଣରେ--
ଚୁପ୍ ରହିବା ବିନା ??
ଏଇତ ମୋ ଜୀବନର ସଂଜ୍ଞା;
ସେ ଅତୃପ୍ତ ବାଟ ଆଉ
ଅଭିଶପ୍ତ ପଳାଶ ପରି--
କେବେ କେଜାଣି ସେ ଅବାଟ ବାଟ ହେବ--
ସମସ୍ତଙ୍କ ଯିବା ଆସିବା ଭିତରେ
କେହି କେବେ ଅଟକି ଯିବ--ଚିହ୍ନା କି ଅଚିହ୍ନା,
କହିଦେବ--"ହଁ, ଏଇ ବାଟେ ଆସ..
କେବଳ ଏଇ ବାଟ ଟି ହିଁ
ଗନ୍ତବ୍ୟକୁ ଯାଏ" ।।
ଫ୍ରାନସିସ୍ ଶତପଥୀ