ନୀଳନିରବତା ୧
ନୀଳନିରବତା ୧
ବଢାଇ ଥିଲି ପାଦ
ଚାଲିବାକୁ ତୁମ ସାଥେ ଯୋଜନ ଯୋଜନ ବାଟ
ପହଞ୍ଚିବାର ଜୁ' ନଥିବ ଯେଉଁଠି
ସେଇଟା ହିଁ ହେଇଥିବ ଆମର ଗନ୍ତବ୍ୟ କବାଟ ।
ଫେରିବାର ଅବକାଶ
ମୁଠାଇ ନଥିଲି ହାତରେ
ପଛଘୁଞ୍ଚାର ତିଳକ
ଲଗାଇ ନଥିଲି ମଥାରେ
ଇଚ୍ଛା ଥିଲା ଖାଲି
ଅନିର୍ଦ୍ଧିଷ୍ଟ କାଳ ଯାଏଁ ଚାରି ଆଖି ଆମ
କାହାଣୀ ରଚୁଥାଉ ସ୍ଵପ୍ନରେ ସ୍ଵପ୍ନରେ ।
ହେଲେ ଫେରିବାକୁ ହେଲା ପଛକୁ
କୂଟକମ ଦେହରୁ
ପୁଣିଥରେ ମୁଠାଏ ପାଉଁଶକୁ
ନିଶ୍ଵାସ-ପ୍ରଶ୍ଵାସରୁ
ଅଚିହ୍ନା ଦଲକାଏ ପବନକୁ
ବେଦନାର ଲୁହରୁ
ନୀଳ ଗଗନର ଜୀମୂତକୁ
କାମନା-ବାସନାରୁ
ଜୁଇର ଅନ୍ତିମ ନିଆଁକୁ ।
ଅନିଚ୍ଛା ସତ୍ତ୍ୱେ ଫେରିଥିଲି ସତ
ଫେରି ପାରିନଥିଲା କିନ୍ତୁ
ବିତିଥିବା ତୁମ ସହ ସମୟ ତକ
ଋତୁ ବଦଳି ମଳୟ ପାଲଟିଥିଲା ସିନା
ଆମର ତତଲା ସେ ଅବୁଝାମଣା
ଫେରି ପାରିନଥିଲା କିନ୍ତୁ
ଆମ ମିଳନର ସେ ସ୍ମୃତି ଟିକକ ।