ନବ ପ୍ରଣୟୀ
ନବ ପ୍ରଣୟୀ
ରୋମାଣ୍ଟିକ କବି ମାୟାଧର ମାନସିଂହ
ଜୀବନର ସ୍ୱାଦ ଯେତେ ବୁଦ୍ ବୁଦ ପରି ଗଲା
ନବ ସ୍ୱାଦେ ପ୍ରାଣ ମୋ ସତୃଷ୍ଣ,
ବିଶ୍ୱର ବେଣୁବନେ, ତେଣୁ ଉନ୍ମନ ପୁଣି,
ଖୋଜେ ବରପ୍ରଣୟୀ,ସେ କୃଷ୍ଣ ।।
ତୁମର ପ୍ରତୀକ୍ଷାରେ ଇଚ୍ଛାର ଶେଷ ନାହିଁ,
ଶେଷ ନାହିଁ ରାସ ପରା ପ୍ରଣୟୀ,
ଆତ୍ମା ମୋ ଖୋଜେ ଶ୍ୟାମ, ସେହି ପ୍ରେମ ଅଭିରାମ,
ସବୁ ପାଇ ସେ ନିରତ ବିରହୀ ।।
ସେ ନୟନ ଅଭିରାମ ଆତ୍ମା ଖୋଜଇ,ଶ୍ୟାମ,
ସମୟର ଶେଷଯାଏଁ ଯାହାରେ,
ଚାହିଁ ଚାହିଁ କ୍ଲାନ୍ତିର, ଆଶଙ୍କା,ଭ୍ରାନ୍ତିର,
ନାହିଁ ଥିବ ଲେଶ ପ୍ରାଣ-ଜୁଆରେ ।।
ମୋ ପ୍ରାଣର କୁଞ୍ଜରେ, ବସନ୍ତ ଗୁଞ୍ଜରେ,
ମଞ୍ଜୁ ମଳୟ ପୁଣି ଆଗତ,
ବନ୍ଧୁ ହେ,ରସମୟ, ହୃଦ ହୃଦ ବିନିମୟ,
ପାଇଁ ଚିତ ଜାଗ୍ରତ,ସ୍ୱାଗତ ! ।
ବନ୍ଧୁ କେବଳ ତବ ଅଙ୍ଗୁଳି ପରଶିବି,
ପିଇବି ନୟନ ତବ ନୟନେ,
ଆଉ କିଛି ମାଗେ ନାହିଁ, ଆନ ତୃଷା ଜାଗେ ନାହିଁ
ଜୀବନର ଅଗଣିତ ଅୟନେ ।।
ସମାପ୍ତ