Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamala Satpathy

Inspirational

3  

Kamala Satpathy

Inspirational

ବାହାଘର ଫେସନ

ବାହାଘର ଫେସନ

1 min
279



ପୁଅ ବାହାଘର, ଝିଅ ବାହାଘର

ଏବେ ତ ଫେସନ ବଡ

ଶୀତଳ ପବନ ବହୁ ବହୁ ଲାଗେ

ଆସୁଛି ବିରାଟ ଝଡ ।

ବଦଳି ଗଲାଣି ରୂପଭେକ ତା’ର

ମୂଲ୍ୟ ବି ବଦଳିଲାଣି

ରୀତି ନୀତି ଖାଲି ନାମକୁ ମାତର

ପଛେ ସବୁ ରହିଲାଣି ।

ଶବ୍ଦ ଶୁଭୁନାହିଁ ଯୋଡି ମହୁରିର

ଶୁଭୁନି ବି ହୁଳହୁଳୀ

କାହିଁ ବା ସମଯ ନୀତି ନିୟମର

ସରେ ସବୁ ମାରି ତାଳି ।

ନାହିଁ ବାଟଘଷ, ମଙ୍ଗଳର ପାକ

ନାହିଁ ବି ତ ଆଳିପଣା

ବଡବଡିଆଙ୍କ ଆଶୀର୍ବାଦ ଆଉ

ଜରୁରୀରେ ନୁହେଁ ଗଣା !

ଝିଅର କାନ୍ଦଣା ଶୁଭିବା ବଦଳେ

ଚାଲିଛି ଡିଜେ ନାଇଟି

ରୋଶଣୀ ଆଲୁଅ ବଦଳେ ଲାଗିଛି

ଆଖି ଝଲସା ଲାଇଟି ।

ଆରିଷା କାକରା ଛେଞ୍ଚଡା ମହୁର

ହୋଲାଣି ଭୋଜିରୁ ଉଭାନ

ଏବେ ଚାଲେ ଖାଲି ନନ୍ ଭେଜ୍ ପାର୍ଟି

ତା’ ସାଙ୍ଗକୁ ମଦ୍ୟପାନ !

ପଙ୍ଗତରେ ବସି ଖାଇବା ନାହିଁ କି

ନାହିଁ କା’ରେ ଖୋସାମତ

ଯେମିତି ପାରିଲେ ସେମିତି ଖାଇଲେ

ସାରିକି ମାନମହତ ।

ବେଭାର ବନ୍ଦାଣ କାହାକୁ କୁହନ୍ତି

କିଏ ବା ପାରିବ କହି

ନାଲି କାଗଜରେ ଗୁଡା ଦରବର

ମହତ୍ତ୍ୱ କେବଳ ଥାଇ ।

ବରଯାତିରୀରେ ନାହାନ୍ତି ଘରର 

ମୂରବୀ ସ୍ଥାନୀୟ ଲୋକ

ରଙ୍ଗ ଢଙ୍ଗ ଦେଖି ଆଖି ଖୋସିଯାଏ

ସବୁ ସିନେମା ନାୟକ ।

ମୁଣ୍ଡିଆ ଜୁହାର ପୁରୁଣା ଯୁଗର

ଏବେ ହାଏ ହ୍ୟାଲୋ ଖାଲି

କେମିତି ଝିଞ୍ଜଟ ସରିଲେ ଚଞ୍ଚଳ

ଆଉ ଠାଏ ଯିବେ ଚାଲି ।

ଅଳତା ସିନ୍ଦୂର ଲଗାଲଗି ନାହିଁ

ମେହେନ୍ଦୀ ଚାଲିଛି ବୋଳା

କାହିଁ ପାଟଶାଢି, କାହିଁ ବା ଚଉଁରି

ବେକର ଗଜରା ମାଳା ।

ଟିଭି ସିନେମାର ପ୍ରଭାବ ତ ବଡ

ପଡିଛି ବାହା ବେଦୀରେ

ଜୋତା ଚୋରୀ ଏବେ ନୂଆ କଥାଟିଏ

ଦେଖାଯାଏ ଘରେ ଘରେ ।

ଧୋତି କୁରୁତାର ଯୁଗ ନାହିଁ ଆଉ

ବର ପିନ୍ଧେ ଶେରୱାନୀ

ମାଳ କର୍ପୁରର, ଦୋଳ ମୁକୁଟର

ସ୍ଥାନେ ପିନ୍ଧେ ସେ ପଗଡି !

ଛାମୁଣ୍ଡିଆ ବନ୍ଧା, ଝୋଟି ଚିତା ପକା

କରିବ ବା ଆଉ କିଏ

ହୋଟେଲେ ମଣ୍ଡପେ ବାହା କରିଦେଲେ

ସବୁ ଚିନ୍ତା ଛିଡିଯାଏ !

ଜାତି ଅଜାତିର ଦେଖାଚାହାଁ ନାହିଁ

ଲୋଡା ନାହିଁ ପରମ୍ପରା

ପୁଅ ଝିଅଙ୍କର ମନ ମିଳିଗଲେ

ବାହାଘର ହେଇଗଲା ।

କିଏ ବା ପଚାରେ ସମ୍ମତି କାହାର

ଅଛି କି ନାହିଁ ଏଥିରେ

ସମୟ କା’ ପାଖେ ଅଛି ଯେ ଭାବିବ

ଭବିଷ୍ୟତ କଥା ବାରେ !

ଯେତେ ଧଡାଧଡ ସରେ ବାହାଘର

ସେତେ ଧଡାଧଡ ବିଚ୍ଛେଦ

ବେଦୀରୁ ବାହାରୁ ବାହାରୁ କୋର୍ଟରେ

ଚାଲୁହୁଏ ମତଭେଦ ।

ବିବାହ ବନ୍ଧନ ନୁହେଁ ଦି’ ଦିନର

କହିଥିଲେ ଋଷିମୁନୀ

ହେଲେ ସେକଥାକୁ କିଏ ବୁଝେଇବ

ସଭିଏଁ ତ ଏଠି ତୁନି !

-0-


Rate this content
Log in