Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lalatendu Kabi

Others

4.4  

Lalatendu Kabi

Others

OMAR RUBAIYYAT

OMAR RUBAIYYAT

9 mins
225


...........................ରୁବାଇୟତ୍: ଓମର୍ ଖୟାମ୍

..........................(ଓଡିଆ ରୂପାନ୍ତର: ଲଲାଟେନ୍ଦୁ କବି )
__________________________________

.......... :ତୁମର କି ଯିବ: ..................................................................................1

କଥା ଥିଲା କିଛି କହିଲନି ଗଲ ଚାଲି
ସେନେହ ମମତା ଵନ୍ଧନ ଗଲ ଭୁଲି
ବେଳ ଥାଉ ଥାଉ କୁହ ଯାହା କହିବାର
ଅଳ୍ପ ସମୟ ହାତରେ ରହିଛି ମୋର
ଡାକରା ହେଲାଣି
ନେବି ମୁଁ ମେଲାଣି
ମୋ' କାଳ ଯାଉଛି ହେଉଛି ବେଳ ଉଛୁର | -୧
ଅନ୍ତରୁ ତୁମେ ପାଳୁଛ କି ଏ ମଉନ
ମୋତେ ଲାଗେ ମିଛ - ଇଏ ତୁଚ୍ଛା ଅଭିମାନ
ନିରଵ ଭାଷାର ଗମ୍ଭୀର ସ୍ପନ୍ଦନ !
ମାନ-ଅଭିମାନ ଭଞ୍ଜନ କରି କରି
ନ ହେଉ ଏମିତି
ଦିନ ଆଉ ରାତି
ଦିନ ମାସ ଵର୍ଷ ଯୁଗ ଯୁଗ ଯିବ ସରି | -୨
ରଖି ଅଭିମାନ ନ ଆସିବ ଯେବେ ଫେରି
ଵିଷଦିତ ମୁଖ, ଅକୁହା ପୀରତି ଧରି
ଅଜଣା ଭୟରେ ଅକାରଣେ ଡରି ଡରି
ଶୟନେ ସପନେ ଜାଗରଣେ ମୋତେ ଘେରି
ତୁମର କି ଯିବ?
ମୋ ଦିନ ସରିବ
ଵିଦାୟ ବେଳାର ମଉଳା ମନରେ 
ଶୁନ୍ୟତାଭରା ଅଵେଶପସରା
ଅଶ୍ରୁଅସରା ରୁଦ୍ଧ କଣ୍ଠେ ଭରି | -୩ (୧୮ ନଭେମ୍ବେର ୧୪)

.............. :ତୁମେ ଯେ ଆସିଲ ଫେରି: ................................................2

ଫେରିଲ ସଜନୀ ମୋ ଯାତନା ଜାଣି ପାଇଲି ସ୍ଵର୍ଗସୁଖ,
ପାଶେ ଥିଲା ଖାଲି ନିରାଶାର ବାଲି - ହଟେଇଲି ହେଇ ଦେଖ !
ଧ୍ଵାନ୍ତ ରଜନୀ, ଶାନ୍ତ ଅଵନୀ, କ୍ଳାନ୍ତ ଶରୀର ଭାରା,
ମଦିରା ପିଆଲା ଓଷ୍ଠରେ ମୋର ସତେ କି ଗଙ୍ଗାଧାରା !

ତୁମେ ବି ଟିକିଏ ଚାଖ
ମୋ ପରେ ଭରସା ରଖ
ତୁମ ନୂପୁରର ତାନେ, 
ଜୀଵନମୃତ୍ୟୁ ଗାନେ
ମୋ ପାଶେ ବସିଲେ ଟିକିଏ ହସିଲେ
ଝୁଲିବ ସୌଧ ନିଶାଵିମୁଗ୍ଧ,
ଆକାଶୁ ଖସିବେ ଯୁଗ-ଵିଦଗ୍ଧ ତାରା | -୪

କୁକ୍କୁଟ-କାକ ପାନ୍ଥଶାଳାର ଭିତରେ ପ୍ରାଚୀର ପାଶେ
ମୁକ୍ତ ଗଳାରେ ଅନ୍ତରହିତ ଅର୍ଥଯୁକ୍ତ ଭାଷେ
କହିଲେଣି ଶୁଣ ଖୋଲିବ ଦୁଆର ହେଲେ ମାହେନ୍ଦ୍ର ବେଳା
ଆସିବେ ନୂତନ ଯିବେ ପୂରାତନ, ହେଇ ରାତି ଵିତିଗଲା |

ଏବେ - ଖୋଜି ନିଅ ନିଜ ପଥ
ହେବେ- ନଵାଗତ ଉପଗତ;
ସେ ବି ତୁମପରି ଯିବେ ଏଠୁ ଫେରି
ସଭିଏଁ ଏମିତି 
ଏଇଠୁ ଯାଆନ୍ତି
ଦିନେ ଆଶ୍ରୟ ତା ପରେ ଵିଦାୟ
ନିୟତ ଅନ୍ଧ ଵିଧାନେ ଵଦ୍ଧ
ଵାଲୁତ ବୃଦ୍ଧ ପ୍ରାଞ୍ଜ ବୁଦ୍ଧ ଵିଶ୍ଵ-ଜଗତ ସାରା | -୫ (୨୧ ନଭେମ୍ବେର ୧୪)

.................................. :ପାହି ତ ଗଳାଣି ରାତି: .....................................3

ଗଲାଣି ତ ଵିତି ଅନ୍ଧାର ରାତି ଆଖି ଖୋଲି ଦେଖ ସଖି,
ପୂର୍ଵ ଆକାଶ ଝଲସି ଉଠୁଛି ରକ୍ତ ଅଭୀର ମାଖି
ଦେଵାଳୟ ଚୂଡାପରେ
ଅର୍ଦ୍ଧଗୋଲକ ଆଙ୍କି ଦେଇଛି ସୂର୍ଯ୍ୟକିରଣ ଗାରେ | -୬

ଚନ୍ଦ୍ର ଲୁଚିଲା ଦୁଇଘଡି ହେଲା ଦିଗ୍ ବଳୟର ତଳେ
ଦେଖି କୋଟି ତାରା ଆଲୋକ ଇସାରା ଭୟେ ଉଷାରାଣୀ କୋଳେ
ନୟନ ଦେଲେଣି ବୁଜି
ତଥାପି ତୁମର ନେତ୍ରୁ କିପରି ନିଦ୍ରା ଯାଉନି ଭାଜି ? -୭

ଵାତାୟନ ପାଶେ ସୁମନ ସୁବାସେ ମତ୍ତ ଭ୍ରମର ଗୋଟି
ଅନ୍ଧ ଆଵେଗେ ଭ୍ରାନ୍ତ ସରାଗେ ସତେ ବା ଯାଉଛି ଲୋଟି
ଭରା ଯଉଵନେ ଥାଇ
ଏମିତି ଲଗନେ ପାରେ ନା ବୁଝି ମୁଁ କେମିତି ପାରିଛ ଶୋଇ | -୮ (୧୯୭୬)

.................... :ଏମିତି ମାଟି କି ଅଛି ?: ..............................................4

ପଥପ୍ରାନ୍ତର ପଥିକ ହେଉ ସେ ହେଉ ବା ରାଷ୍ଟ୍ରପତି
ଜୀଵନ-ପିଆଲା ନିଃଶେଷ ହେବା ଵିଧିରେ ସରଳ ଅତି;
ଉଠ ଉଠ ମଠ ଛାଡ
ପିଆଲା-ରସନ କର ଆଚମନ
ମିଶିବା ଆଗରୁ ଏ ମରଶରୀରୁ
ମାଟିରେ ମାଂସହାଡ | -୯

ଏମିତି ମାଟି କି ଅଛି କେଉଁଠାରେ କୁହ
ଧୂଳି ତଳେ ଧୂଳି ତା ତଳେ ଯେ ଶୋଇଥାଏ,
ଏତେ ସୁଖ ପାଏ - ନ ଜାଣେ ଯାତନା, କୋହ,
ଏଇଠାରେ ମୋତେ ଆଉଥରେ ପୋତ କୁହେ ? -୧୦

ଏମିତି ଟିକିଏ ମାଟି ଖୋଜି ନିତି ବୁଲେ
ଯେଉଁଠି ଶୋଇଲେ ମିଳିବ ଅଶେଷ ସୁଖ,
ସ୍ଵପ୍ନ ଅଥଵା ଛାଇ ଛାଇ ନିଦ ହେଲେ
ପାଖରେ ଦିଶିବ ପ୍ରିୟ ପରିଜନ ମୁଖ | -୧୧

ଛନ୍ଦଵହୁଳ ମଧୁମୟ କଵିତାର
ପୁସ୍ତକ ଧରି ପ୍ରଣୟୀନି ତୁମେ ବସି
ମୂର୍ଚ୍ଛନାମୟ ମଧୁର ଵୀଣାର ତାର-
ଝଙ୍କାରେ ଗୀତ ଶୁଣାଇବ ମୋ ପ୍ରେୟସୀ | -୧୨

ଋତୁରାଜ ସଜ ସାଜି କି ଆସିବ ସତେ
ଅଳ୍ପ ଯେ ଅଛି ଜୀଵନର ଅଵଶେଷ,
ପୀତ-ଵସନ୍ତ, କୋକିଳର ତାନ ସାଥେ
ଅଧର ଧରିବ ଲୋହିତ-ଵର୍ଣ୍ଣ-ଵେଶ ! -୧୩

ଅର୍ଜୁନ, ଭୀମ, ଭୀଷ୍ମ, କର୍ଣ୍ଣ, ଦ୍ରୋଣ, 
ଅଭିମନ୍ୟୁର ସଙ୍ଗ୍ରାମ କେଡେ ଘୋର -
ଯଶ ଯେ ପାଇଲେ ସବୁ ମରଣୋତ୍ତର,
ଜଗତେ ଜୀଵିତ ରହିବା ଯାଵତ
ସୁଧାଵଞ୍ଚିତ, କ୍ଷତଵିକ୍ଷତ,
ଭାରତ ଶାସ୍ତ୍ରେ ଅଙ୍ଗୁଳ ଅଗ୍ରେ
ଗଣନ ସମାନ ପାଲଟିଲେ ସବୁ କେତେଗୋଟି ଅକ୍ଷର | -୧୪

ପାଲଟିଲେ କେହି ଛୋଟ ଛୋଟ ବହି 
କିଏ ବା ପ୍ରତିମା ସାଜି
ଝଡଵର୍ଷାରେ, ଗ୍ରୀଷ୍ମକାକରେ,
ମେଢମନ୍ଦିରେ ବନ୍ଦୀରୂପରେ
ନିଶ୍ଚଳ ଛିଡା ଆଜି | -୧୫ (୨୫ ନଭେମ୍ବର ୧୪)

............................ :ଆଗାମୀ ପ୍ରଭାତ ରୂପ: ..........................................5

ଅନୁଶୋଚନା କି ଅନୁତାପ ଦିଅ ତେଜି
ଗ୍ରୀଷ୍ମଦାହରେ ଜଳିବା ଆଗରୁ ମହୀ
ଘଡି ଘଡି ଦେଖ ସମୟ ଯାଉଛି ହଜି,
"ମେଲିଲି ପକ୍ଷ" - କାନେ କାନେ ଯାଏ କହି | -୧୬

ଅଗଣିତ ଫୁଲ ନିତି ନିତି ଏଠି ଫୁଟେ,
ଫୁଟି ଉଠି ପୁଣି ଝଡି ପଡି ସଢି ଯାଏ,
ଆଜିର ରାଜନ ଜୀଵନ ଥିବ କି ଘଟେ
ଆଗାମୀ ପ୍ରଭାତ ସୂର୍ଯ୍ୟ-ଉଦୟ ଯାଏ ? -୧୭

ରାଜନେତା, ଵୀର ଛାଡି ସଖି ଆସ ଚାଲି
ଯୋଦ୍ଧୃଵେଶରେ ହେବେ ସେ ଵଜ୍ରାହତ;
ସେ ଯଶ-ଗାରିମା-ବଡପଣ ଯାଅ ଭୁଲି,
ଉନ୍ମାଦିତଙ୍କୁ ନ କର କର୍ଣ୍ଣପାତ | -୧୮ (୨୬ ନଭେମ୍ବର ୧୪)

.............................. ଏପାରି ସେପାରି .............................................6

ସବୁଇମାଭରା ଏପାରି - ସେପାରି ମରୁଭୂମି ନିର୍ଜଳ
ସେଇଠାକୁ ଚାଲ ମୋ ସାଥେ ଦୂରକୁ - ନାହିଁ ଯହିଁ କୋଳାହଳ,

ନାହିଁ କେହି ତହିଁ ଶାଶକ, କାହାର ନୁହେଁ କେ ଆଜ୍ଞାଵହ,
ସେଠି - ଅଵିରତ, ଅହରହ
ଗାଇ - ଜୀଵନ-ମୃତ୍ୟୁ ଗୀତ
ଵିତେ - ଗ୍ରୀଷ୍ମ, ଵର୍ଷା,ଶୀତ,
ସେହି - ସେ ଦିନର ସମୀରଣ
କରି - ଵିରହ-ପୀରତି ଗାନ,
ଅନୁକମ୍ପାରେ କବର ଭିତରେ
ଶାହାଜାହାନର ପୋଛୁଥିବ ଆଖିଲୁହ | -୧୯

ସେହି ଅଞ୍ଚଳେ ତରୁଶାଖାମୂଳେ ଅନ୍ନପାତ୍ର ଧରି
ହାତରେ ପିଆଲା, କଵିତାର ମାଳା ହୃଦସମ୍ପଦ କରି,
ବସି ମୋ ପାଶରେ ଗାଅ ସୁଲଳିତ ଗୀତ;
ସେଇଠି ନୂତନ ସ୍ଵର୍ଗ ଆସିବ,
ପତ୍ରଵିହୀନ ବୃକ୍ଷେ ଫୁଟିବ
ମନୋରମ ପାରିଜାତ | -୨୦ (୨୭ ନଭେମ୍ବର ୧୪)

............................. :କେତେ ପ୍ରକାର ମାଟି: ....................................7

ଶ୍ଵାପଦ, ଶୃଗାଳ ସୁଖେ ଚଳାଚଳ କଲାବେଳେ କେବେ ଦିନେ
କିଏ ଶୁଣିଛନ୍ତି ଖାତିର କରନ୍ତି ଶୋଇଛି କିଏ ସେ ସ୍ଥାନେ ?
ସେଇ ମାଟିତଳେ ଵୀରର ଉପାଧି
ଚକ୍ରଵର୍ତ୍ତୀ ରାଜାର ସମାଧି
ଯେତେ ବଡ ଯିଏ ଥାଉ,
କରି ପଦାଘାତ ଯେତେ ଵର୍ଜିତ ଅସନା ଛାଡନ୍ତି
ବେପରୁଆ ଯାଉ ଯାଉ |
ଥିଲା ବଡପଣ ଦୁଇ ଏକ ଘଡି, କାଳର କବଳେ ପଡି
ଛାଡି ସେ ଗଲେଣି
ଯେଝାର ମଶାଣି
ସେଠି ଶୁଭେ ଏବେ ଶ୍ଵାନ-ଦର୍ଦ୍ଦୁର ରଡି | -୨୧

ଯାତ୍ରୀଦଳରେ ଗଳ୍ପଛଳରେ କହୁଥିଲେ ଦିନେ ଜଣେ -
ରାତ୍ରୀ-ଵାସର ଜ୍ୟୋତି-ଅନ୍ଧାର
ଚତୁରଙ୍ଗର ଚଉଷଠି ଘର
ଏ ଘରୁ ସେ ଘର ଆମ ସାଥେ ଖେଳି
ଆମକୁ କରି ତା ସୁଖସଙ୍ଖାଳି
ସେହି ବାକ୍ସରେ ଆମକୁ ଶେଷରେ
କ୍ରୀଡନକ ଗୋଟି କରି
ଗୋଟି ଗୋଟି କରି ସେ ଅତି-ଆଚାରୀ ନିୟତି ଚାତୁରୀ
ଗୋଟେଇ ରଖିବ ଜାଣେ | -୨୨

ଆଉ କେତେ ଭୂଇଁ ଗଉରଵେ ଥାଇ
କୋମଳ ପତ୍ରପୁଷ୍ପର ସମ୍ଭାରେ
କରି ସୁବାସିତ ସେଠି ଆତଯାତ ସଭିଙ୍କୁ ମୋହିତ କରନ୍ତି ସତତ
ସେହି ମାଟିତଳେ ଚିରନିଦ୍ରିତ ପ୍ରେମିକାପ୍ରେମୀଙ୍କ ହୃଦନିର୍ଗତ
ଅନାଵିଳ ଅଭିସାରେ | -୨୩ (୦୧ ଡିସେମ୍ବର ୧୪)

ସଭିଙ୍କୁ ଵିନତି କରୁଛି ସମ୍ପ୍ରତି ଯାଅ ନିତି ସେହି ପାଖ
ତାଙ୍କୁ ନୋହୁ ପୀଡା ଧୀରେ ହୁଅ ଛିଡା ଧୀରେ ଧୀରେ ପାଦ ରଖ | -୨୪ (ଜୁଲାଇ ୨୦୧୪)

............................... ହେବି ଚାରିଯୁଗ-ଯାତ୍ରୀ: ......................................8

ସୁଧାମୃତ ଭରି ହାତେ ପାତ୍ର ଧରି କଟିଯାଉ ଦିନ ଆଜି
ଵିଗତ-ଶୋଚନା, ଭଵିଷ୍ୟ-କଳନା - କି ହେବ ତହିଁରେ ମଜ୍ଜି ?
ଵିତିଲା ବେଳକୁ ରାତ୍ରୀ
ନ ଥିବ ଏ ଜୀଵ
ଏ ଘଟ ପାର୍ଥିଵ
ପାଲଟି ଯିବି ମୁଁ ହଜିଲା ପଥରେ ଚାରିଯୁଗ-ଦୀର୍ଘ ଯାତ୍ରୀ ! -୨୫

ଥରେ ଦୁଇଥର କିଏ ଚାରିଥର ଚାଖି ଜୀଵନର ମଧୁ
କଲେଣି ଶୟନ, ନିରଵ ମଉନ ମୂଢମତି ସାଥେ ସାଧୁ | -୨୬

ଶୂନ୍ୟତା ଦେଇ ସେ ହେଲେ ଵିଦାୟୀ, ଆମ ପାଇଁ କଲେ ସ୍ଥାନ;
ରିକ୍ତ କରି ଦିନେ ଚାଲି ଯିବା ଆମେ - ହେବ କାହା ଆଗମନ ? -୨୭

କେତେଟା ମୂହୁର୍ତ୍ତ ରହିଛି ସଞ୍ଚିତ - ହଜିଯିବି ସହଜରେ
ସୁଧା, ମଧୁଗୀତି, ଗାୟକସଂଗତି ମିଳିବ କି ତାହାପରେ ? -୨୮ (୦୨ ଡିସେମ୍ବର ୧୪)

........................... :ଆସିଥିଲି ଜଳ, ଫେରିବି ତୋଫାନ ସାଜି: .....................9

ଘଡି ଦି'ଘଡିର ଯୋଜନାରେ ଫେରି ଆସିବ ଭାଗ୍ୟପୋତ ?
ଏପାରି ସେପାରି ଶୂନ୍ୟ ସବୁରି - ଶୁଣ ପ୍ରଭାତର ଗୀତ | -୨୯

ଏଇ ଦୁଇପାରି ଵିଚାରି ଵିଚାରି କେତେ ଯେ ଦାର୍ଶନିକ
ନିର୍ଵାକ୍ ସାଜି ପରପାରେ ଆଜି ଆଖି ଖୋଲି ଥରେ ଦେଖ | -୩୦

ମୋ ସାଥୀରେ ଆସ ଶୁଣ ସନ୍ଦେଶ ପରିଣତ ଵୟସର
ତର୍କଶାସ୍ତ୍ର, କଥନ ଗଭୀର ଭୁଲିଯାଅ ଵିଦୁଷର;
ମୋ ଵଚନ ଥରେ ଶୁଣ
ପଦ୍ମପତ୍ର-ସଲିଳ ମାତ୍ର ଜୀଵନ ଅଧୀର
ଏତିକି ମାତ୍ର ଜାଣ | -୩୧

ଵାଳୁତ ଵୟସେ ମହା ଉଚ୍ଛ୍ଵାସେ ଶୁଣୁଥିଲି ମହାଵାଣୀ;
ଭିତରେ ପଶିଲି ଯେ ଦୁଆର ମେଲି ସେ ଦ୍ଵାରେ ଫେରିଲି ପୁଣି | -୩୨

ଜ୍ଞାନୀଙ୍କ ମତରେ ମୋ ନିଜ ହାତରେ ବୁଣିଲି ଜ୍ଞାନର ମଞ୍ଜି;
ଏଇ ମୋ ଅମଳ - ଆସିଥିଲି ଜଳ, ଯିବି ମୁଁ ତୋଫାନ ସାଜି | -୩୩ (୫-୬ ଡିସେମ୍ବର ୧୪)

............................... :ପରଦାର ଆଢୁଆଳେ: ...........................................10

କେଉଁଠୁ ଆସିଲି ଘର ଏଠି କଲି - କିଛି ମୋତେ ଜଣା ନାହିଁ,
କେତେ ଦିନ ପରେ ଯିବି କେଉଁଠାରେ କେହି ନ ପାରିଲେ କହି;
ଜ୍ଞାନର ଚର୍ଚ୍ଚା ବେଳେ
ପର୍ଦ୍ଦାର ଆଢୁଆଳେ
ଥରେ - ଦେଖିଲି ଗୋଟିଏ ଛାଇ
ହେଲେ - ଚାବି ତ ନ ଥିଲା ତହିଁ;
ଛିଡା - ରହିଲି ମୁଁ ସେ ଦୁଆରେ,
କ୍ଷଣେ - ଵାର୍ତ୍ତାଳାପର ପରେ
ଦେଖିଲା ବେଳକୁ
ଉପରୁ ତଳକୁ
ସେଠି - ଛାଇ ବୋଲି କିଛି ନାହିଁ
ସବୁ - ଯାଇଛି ସେଠୁ ଉଭେଇ | -୩୪

ଜୀଵନମୂଲ୍ୟ କହିବା ତୁଲ୍ୟ ପହଞ୍ଚିଲି ଯାହାପାଖ
କିଏ ମୁଁ, କେଉଁଠୁ କେଉଁଠି ମୋ ଗତି ଜାଣିବାକୁ ଉତ୍ସୁକ,
ସବୁ - ପୂରୁଣା ଶାସ୍ତ୍ର ଧରି
କିଛି - ଉଦ୍ଧାର ତହୁଁ କରି
ମୋତେ - ଯିଏ ବୁଝେଇଲେ ଯାହା
ସବୁ - ଅନୁଭଵହୀନ ଆହା !
ଜାଣି - ଗଲି କେହି ନାହିଁ ସାହା
ତହୁଁ - ସୁଧାର ପାତ୍ର ପାଶେ
ରହିଲି ମୌନ, ଶରଣାପନ୍ନ, ମୋର - ସ୍ମୃତିକୁ ଧୋଇବା ଆଶେ | -୩୫
ପୃଥ୍ଵୀଲୋକରୁ ଚନ୍ଦ୍ର-ଇନ୍ଦ୍ର-ରୁଦ୍ରଲୋକକୁ ଯାଇ
କୋଟି ଵନ୍ଧନ ଗୋଟି ଗୋଟି କରି ଚାଲିଗଲି ମୁକୁଳେଇ,
ହେଲେ - ଭାଗ୍ୟ-ମରଣ ଡୋର
ଶକ୍ତ ଶିକୁଳି ନ ଗଲା ହୁଗୁଳି,
ହେଲି ନିରୁପାୟ, ମଣି ଅସହାୟ 
ମୋର ପରାଜୟ କରିଲି ଅଙ୍ଗୀକାର | -୩୬ (୦୬ ଡିସେମ୍ବର ୧୪)

.............................. :ଶେଷ ଦିଵସର ପଞ୍ଜିକା: .......................................11

ଅଳସ ଚପଳ ତରଳ ସଲିଳ ଧାରା
କୂଳର ଉପଳ କୋଳରେ କୁନ୍ଦ କଳି
ଦୋହଲାଇ କଟୀ, ଛୁଇଁଯାଇ ମାଟି,
ପୀୟୂଷ-ପାନ ଇସାରା - 
ଭୃଲତା-ନୃତ୍ୟେ
ପ୍ରେମ-ଇଙ୍ଗିତେ
କଲାଣି ଶୀତଳ ମୃଦୁଳ ଶୀକରେ ଝୁଲି |
ସହସା ତାହାର ଦୁଇଘଡି ହେବ ଶେଷ,
ଅନ୍ତିମ ବେଳା ହେଲେ ହେଁ ତା ଖେଳା ମମତା ଉଛୁଳା
ଛଳହୀନ ସନ୍ଦେଶ !
ଆସ - ମୋ ସାଥେ ସେଇଠି ବସ
ଶୁଣ - ଶୁଭ୍ର ଶାନ୍ତ କୁନ୍ଦଦନ୍ତ
ମତ୍ତ କଳିର ସମ୍ଭ୍ରମଭରା
ସ୍ମିତ, ଅନ୍ତିମ ହସ | -୩୭
ପ୍ରଳୟ ଅନ୍ତେ ନୂତନ ସର୍ଗ ଗଢି
ନଵଗ୍ରହଙ୍କ ହାତେ ନିଷ୍ଠୁର ଖଡି
ପ୍ରଥମ ମାଟିରେ ଆଙ୍କି ଦେଇଛି
ଶେଷ ଜୀଵନ୍ତ ପ୍ରାଣୀର ଅନ୍ତ,
ପୁଣି ତା ସହିତ ସବୁରି ଭାଗ୍ୟ ରେଖା;
ଚିତ୍ରଗୁପ୍ତ ବସିଛି ସେ ବହି କାଢି -
ଆମ - ଜନ୍ମ ଆଗରୁ,
ମଧ୍ୟ ଭାଗରୁ,
ଜୀଵନ ଅନ୍ତ ମାଟିର ଗର୍ତ୍ତ,
ତାର – ନକ୍ସା, ଠିକଣା ସବୁ ଅଛି ସେଠି ଲେଖା | -୩୮(୯-୧୯ ଡିସେମ୍ବର '୧୪)

.......................... :ନୂତନ ଵର୍ଷ କଣ ଦେବ ?: ......................................12

ଭାବୁଥିଲି ଥରେ ଜୀଵନ ଭିତରେ
ନୂତନ ଵର୍ଷ ଦେବ କି ହର୍ଷ, କରିବି ସମ୍ଭାଷଣ;
ରୁହେ ମୁଁ ନିରଵ କରି ଅନୁଭଵ
ସବୁ ପୁରାତନ ପରି ଏ ନୂତନ ଵର୍ଷ ନିଷ୍ଚେତନ,
ମାନଵ ମନର କଳ୍ପନା-ସମ୍ଭୂତ -
ସମୟ ସ୍ରୋତରେ ଟାଣିଦେଲେ ଗାର
ସେ ଗାର ହେବନି ନିମିଷେ ବି ସ୍ଥିର,
ପାରିବନି ରହି, ଭାସି ଚାଲିଯିବ ସ୍ରୋତ;
ନିର୍ଜୀଵ ନଵ ଵର୍ଷ ବୁଝିବ କେବେ ମୋ ସୁସ୍ଵାଗତ ? -୩୯
ଚିରସତ୍ୟର ଜ୍ୟୋତିରୁ ସୂକ୍ଷ୍ମ ରେଖା -
କରୁ ସେ ଶୀତଳ, ଭରୁ ବା ଗରଳ
ସେଇ ମୋର ଚିର ସଖା |
ପାନ୍ଥଶାଳାରେ ସେଇଥିରୁ ଏକ ସୂକ୍ଷ୍ମ ରଶ୍ମି ଭଲ,
ଭକ୍ତ-ଭିଡରେ ହଜିଯିବା କେବେ ହେବ କି ତା ସମତୁଲ ? -୪୦
ଶଙ୍କାପୂରିତ ଜୀଵନର ପଥ ଦେଇଅଛି ଯିଏ ଗଢି,
ନାହିଁ ତ ଯୋଜନା, କହି ̍ପାପମନା'
ରଖିଦେବ ମୋତେ ଚିର ସନ୍ତାପେ ବେଢି ? -୪୧ (୨୨ ଡିସେମ୍ବର ̍୧୪)

................................ :ଶୁଣିଲି ଆକାଶଵାଣୀ: ........................................13

ଚାହିଁ ଆକାଶକୁ ପଚାରିଲି ଥରେ ̎କେଉଁଠି ଆଲୋକ ଅଛି ?
ତାର - ଵାଳୁତ ଜୀଵଙ୍କୁ ଦେଖାଇବ ପଥ, ଅନ୍ଧାରେ ଦିଶୁନି କିଛି |"
ଶୁଣିଲି ଆକାଶୁ ଵାଣୀ ଏକ ଗମ୍ଭୀର -
"ତୁମ - ଅନ୍ଧପୁଟୁଳି ବନ୍ଧା ରହିବ" - ପାଇଗଲି ଉତ୍ତର | -୪୨

"କନ୍ଦୁକ କେବେ ରାଜି କି ଅରାଜି କୁହେ ଖୋଲି ନିଜ ମୁଖ ?
ଯେମିତି ପ୍ରହାର ଗତି ସେ ପ୍ରକାର କରି ଚାଲିଯାଏ ଦେଖ;
ଉପରୁ ତୁମକୁ ମାଟିରେ ଥୋଇଛି ଯିଏ,
ଏ ଗୂଢ ରହସ୍ୟ ଜାଣେ ଏକା ସବୁ ସିଏ |" -୪୩

ପଲକଟିଏ ବି ଜୀଵନର ମଧୁ ତେଜି
କି ଲାଭ ପାଇବ ଜୀଵନ ଯାଉଛି ହଜି;
ଆକାଶ ରିକ୍ତ, ତାରକା ଅସ୍ତ
ଯାଆନ୍ତେ ରାତ୍ରୀ ମରୁର ଯାତ୍ରୀ ପରି,
ମଧୁପାନେ କର ଜୀଵନ ଧନ୍ୟ
କର ନାହିଁ ଆଉ ଡେରି | -୪୪ (୨୨ ଡିସେମ୍ବର ୧୪)

............................... :କରିଦିଅ ଉଦ୍ଧାର: ............................................14

ଅଶୁଭଶୁଭର ଅନ୍ତଵିହୀନ ଵିଚାରୁ ମିଳିବ କିଛି?
ସୁଖେ କାଟ ଦିନ - ଵିଚାରୁ ଵିଚାରୁ ହଜିଯିବ ଯାହା ଅଛି | -୪୫

ଅନେକ ଦିନର କୋଳାହଳ ପରେ ଵିଦାୟ ଦେଇଛି ଶେଷେ
ତର୍କଵହୁଳ ଶାସ୍ତ୍ର ସକଳ ଶାନ୍ତିସୁଧାର ଆଶେ | -୪୬

ତ୍ରିକୋଣମିତିଠୁ ଜ୍ୟାମିତିର ରେଖା ଉପରୁ ତଳକୁ ଟାଣି
ଚାଲିଥିଲେ ସୁଦ୍ଧା ବୁଡିଥିଲି ସଦା ସୁଧାର ପାତ୍ରେ ଜାଣି | -୪୭

ଦେଵଦୂତ ଜଣେ ଆସିଥିଲେ ଥରେ ହାତରେ ପାତ୍ର ଧରି -
ସେଥିରୁ ଚାଖିଲି, ସହସା ଦେଖିଲି ଜୀଵନ ଉଠିଛି ଭରି | -୪୮

ଯେଉଁ ସୁଧାପାନ କରି ଆଚମନ ଚୌରାସି ଲକ୍ଷ ଜୀଵ
ମୁଗ୍ଧ, ମଉନ ସେଇ ସୁଧାଧନ କେବେ କି ଶୂନ୍ୟ ହେବ ? -୪୯

ଵୀରଦର୍ପରେ ଶତ୍ରୁ ଵିଦାରି କେତେ ରଥୀ-ମହାରଥୀ
ରାଜ୍ୟଵିଜୟୀ ଦେଖ ଧରାଶାୟୀ ଶିଵାଳୟ ତାଙ୍କ ସାଥୀ | -୫୦

ପଣ୍ଡିତଜନେ କଥାଖଣ୍ଡନେ, କଳହେ ରହିବେ ରତ,
କଳିକନ୍ଦଳେ କି ବା ସୁଖ ମିଳେ ସେ କଥା ତାହାଙ୍କୁ ଜ୍ଞାତ | -୫୧

ଯାଦୁଗର ହାତେ ଆକାଶର ପଥେ ଉଡି ଆସିଥିବା ପରି
ଆମେ ଏ ମାଟିରେ ପୃଥିବୀ ପିଠିରେ ଆସିଅଛୁ ଅଵତରି | -୫୨

ପୀୟୂଷପାନରେ ମଗ୍ନ ରହି ବି ଶୂନ୍ୟତାଭରା ଶେଷେ
ହେଲେ ହେଁ ଜୀଵନ, କରି ସୁଧାପାନ ଥାଅ ଶାଶ୍ଵତ ପାଶେ | -୫୩

ଭାଗ୍ୟଦେଵୀର ହାତରେ ଲେଖନୀ ଚାଲିଛି ଆଗକୁ ଲେଖି;
ପୁଣ୍ୟପସରା, ଅଶ୍ରୁର ଧାରା ପାରିବ କି ତାକୁ ରୋକି ? -୫୪

ଅମ୍ବୁଦଭରା ଗମ୍ବୁଜଠାରେ କର ନା କିଛି ଗୁହାରି;
ଭାଗ୍ୟ ହାତରେ ଖେଳନା ଗୋଟିଏ ସିଏ ବି ଆମରି ପରି | -୫୫

ପଞ୍ଚଭୂତରେ ସୂକ୍ଷ୍ମଶରୀର କରିଛ ଯେ ସମାହାର !
ଜନ୍ମ-ମରଣ ଚକ୍ର ଭିତରୁ କରିଦିଅ ଉଦ୍ଧାର | -୫୬ (୨୯ ଡିସେମ୍ବର ୧୪)

................................ :କର ସତ୍ୟର ସନ୍ଧାନ: ........................................15

କିଏ ଭୂଲୋକର କିଏ ଦ୍ୟୁଲୋକର କରିଚାଲେ ଗୁଣଗାନ,
ଚାଲିଯାଏ ଖସି ପାଖେ ଥିବା ଖୁସି ଖୋଜି ସେ ସୁଦୂର ତାନ | -୫୭

ଗୋଲାପର କଳି ହସି କରେ ଅଳି - ନେଇଯାଅ ମୋତେ ତୋଳି,
ମୋର ସୁଗନ୍ଧ ଦେଉ ଆନନ୍ଦ, ନିଅ ମୋତେ ମୋର ମାଳୀ | -୫୮

ସେ ଫୁଲର ସାଥୀ ତା' ମୂଳର ମାଟି ରହି ରହି ଦିଏ ଡାକ -
ଅମୀୟ ସୁବାସ ପ୍ରେମସୁଧାରସ ଘେନ ଏ ଜୀଵନ ଯାକ | -୫୯
ଶୁଣି ମୁଁ କାନରେ ଭାଵିଲି ମନରେ - ଏଇ ଉଦ୍ୟାନ ମାଟି
ପ୍ରୀତିଚୁମ୍ବନେ ବୁଡିଥିବ ଦିନେ ଅଵିରତ ଦିନରାତି | -୬୦

ପାଦତଳ ଦେଇ କାଳ ଯାଏ ବହି; ହୁଅ ନାହିଁ ଉଦାସୀନ,
ଦୂର ଅନାଗତ, ହଜିଲା ଅତୀତ - ସେଥିରେ ଦିଅ ନା ମନ | -୬୧

ସତ୍ୟକଥନ ସତ୍ୟମନନ ସତ୍ୟର ସନ୍ଧାନ -
ଆପଣା ଭିତରେ ଏଇ ମୁହୂର୍ତ୍ତରେ କର ସେ ମଦିରା ପାନ | -୬୨

ଦେଖ - ଋତୁରାଜ, ପୁଷ୍ପର ସାଜ, ପକ୍ଷୀର କଳରଵ,
ଯଉଵନ ସାଥେ ହଜିଲେ ତା̍ ପଥେ ହେବ ଆଉ ଅନୁଭଵ ? -୬୩

ଏକାକୀ ସତ୍ୟ ରହିଛି ନିତ୍ୟ ତୁମରି ଭିତରେ ଲୁଚି,
ତାକୁ ନିଅ ଦେଖି ଖୋଲା ଥାଉଁ ଆଖି, ସେଇଥିରେ ରଖ ରୁଚି | -୬୪ (୨୯ ଡିସେମ୍ବର ୧୪)

................................ :ମାଟିଘଟର ଆଳାପ: ...........................................16

କୁମ୍ଭକାରର କର୍ମଶାଳାରେ ପାତ୍ର ଗୋଟିଏ କଥା
କହୁଥିଲା ଥରେ ଵିନୟେ କାତରେ – କାହା ଲାଗି ଅସ୍ମିତା ?
ତୋହର ବି ଦିନେ ନିଶ୍ଚେ ଆସିବ ବେଳ
ଧୀରେ ମୋତେ ଧର, ତୋର ଅନ୍ତର
ଭିତରୁ ବାହାର କର ଏ ଵିକାର,
ସରିଯିବ ତୋର ଦୁଇ ଦିନେ ଧୂଳି ଖେଳ | -୬୫

ଆରେକ କୁମ୍ଭ ଧୀରେ ଧୀରେ କହୁଥାଏ
ପାରିବ କି କହି କିଏ ସେ କୁମ୍ଭ,
କୁମ୍ଭଗଢାଳି କିଏ ? -୬୬

ଆଉ କିଏ କୁହେ ଆକୃତି ଦେଇ ଯେ କଲା ମୋ ନିର୍ମାଣ
ଭାଙ୍ଗି ସେ ମୋତେ ମାଟିରେ ମିଶାଏ ଏହି କି ତା' ବଡପଣ ? -୬୭

କୁହେ ଆନ କିଏ ଏଡିକି ସେନେହେ ଗଢିଦେଇ ମୋ ମୂରତି
ସେଇ ନିଜେ ମୋତେ ଭାଙ୍ଗି ଫିଙ୍ଗିଲା ଇଏ କି ଚପଳ ମତି ? -୬୮

ଉତ୍ତର କେହି ନ ପାରିଲେ ଦେଇ ଵିରାଜିଲା ନିରଵତା,
କୁମ୍ଭକାରର କମ୍ପନ ହେଲା ଘୂରିଗଲା ତାର ମଥା | -୬୯

ମାଟିଘଟଟିଏ ପୁଣି କହୁଥାଏ
ପନ୍ଥଶାଳାର ଅନୁଭଵୀ ରକ୍ଷକ
କହୁଥିଲେ ଶୁଣ ଆସୁ ଶୁଭଦିନ
ସେ ଆଦିକାରଣ କରୁଣାନିଧାନ
ଶୁଣିବ ସଭିଙ୍କ ଡାକ | -୭୦

ଏଣେ କୁହେ ଏକ ସୁଧାଵଞ୍ଚିତ ଘଟ -
ଵିସ୍ମରଣରେ ଆଜିମୁଁ ଶୁଷ୍କ
ଯେଉଁ ସୁଧାରସେ ହେବି ମୁଁ ପୁଷ୍ଟ
ସେଇଥିରେ ଭରି ଦେଇଯାଅ ମୋର ପେଟ | -୭୧

ପୂର୍ଣ୍ଣମସୀର ଜହ୍ନକିରଣ ତଳେ
ଘଟପାତ୍ରର ଏହି ପରି କୋଳାହଳେ
ଫିକା ଫିକା ତେଣେ ଶୁଭୁଥିଲା କଡମଡ,
କୁମ୍ଭକାରର କାନ୍ଧ ଭିତରେ ଭାଙ୍ଗି ଚାଲିଛି ହାଡ | -୭୨

ଭାଵିଲି ଶାସ୍ତ୍ର ଘୋଷି ଚାଲିଥାଏ ଯିଏ
ଵାଲ୍ୟକାଳରୁ ବୃଦ୍ଧ ଵୟସ ଯାଏ
ସେହି ଵିଜ୍ଞଠି ନାହିଁ ଯେ ଦୁଆର ଚାବି,
ଅସ୍ଥିରୁ ମୋର ହେବ କି ବାହାର
ଦଧିଚିଙ୍କ ପରି ସମାଧିରେ ବସି ଯିବି ? -୭୩ (୦୧ ଡିସେମ୍ବର ୧୪)

................................ :ହଜିଯିବି ଶାଶ୍ଵତ ଓଁକାରେ: ................................17

ଅନେକ ଦେଵତା ପୂଜି ମୁଁ ଵାଲ୍ୟକାଳୁ
ଶାଶ୍ଵତ ସୁଖ ନ ପାଇଲି ଧରାତଳୁ |
ଶୁଷ୍କ ଜୀଵନ ଅନ୍ତ ଘଟିଲେ ମୋର
ଖୋଜି ନେବ ଏକ ପୁଷ୍ପିତ ନଦୀଧାର,
ଶୋଇଦେବ ମୋତେ ଏକା ସେଇ ଉପଵନେ
ସେ ଫୁଲ ସୁବାସ, ସଙ୍ଗୀତ-ରସ
ଫୁଟାଇବ ହସ
ପଥ ଭୁଲିଥିବା ହତାଶ ପଥିକ ପ୍ରାଣେ | -୭୪

ଗ୍ରନ୍ଥପଠନ, ସ୍ତୋତ୍ରଗାୟନ, ସବୁ ମୋ' ଯାଇଛି ସରି
ମାଦକତାହୀନ ଶୂନ୍ୟ ଜୀଵନ ସମ୍ମୁଖେ ଅଛି ପଡି | -୭୫

ଥାଆନ୍ତା କି ମୋର ଶକ୍ତି ପ୍ରଚୁର, ଭାଗ୍ୟ ହାତରୁ ଡୋର
ଛଡାଇ ଆଣନ୍ତି, ନୂତନ ଗଢନ୍ତି ହୃଦମତେ ସଂସାର | -୭୬

ସଞ୍ଚରି ଆସେ ସନ୍ଧ୍ୟା-ଆକାଶେ ନୂତନ ଚନ୍ଦ୍ରାଲୋକ,
ଯିବି ଯେବେ ଚାଲି ଖୋଜିବ ସେ ଖାଲି ବୃଥା ମୋତେ ଅପଲକ | -୭୭

ଶେଷ ଇଚ୍ଛା ମୋ ଶୁଣ -
ଜୀର୍ଣ୍ଣ ଏ ଘଟ ହେବ ଯେବେ ନିଷ୍ପ୍ରାଣ
ମୋ ସମାଧିପୀଠେ ଭସ୍ମ ନିକଟେ
ଯାଇ ଥୋଇଦେବ ଶୂନ୍ୟଗର୍ଭ
ସ୍ଥିରନିଶ୍ଚଳ 
ଗୁଞ୍ଜନଶୀଳ 
ଶୀର୍ଣ୍ଣ ବଂଶୀଟିଏ,
ସେଇଠାରେ ଥାଇ ଶୁଣୁଥିବି ଶୋଇ
ଶାଶ୍ଵତ ଗୀତ କାଳର ଅନ୍ତ ଯାଏ | -୭୮

ଦେଶକାଳାତୀତ ଅଵିନାଶୀ ସଙ୍ଗୀତ:
ଚିର ଓଁକାର ଧ୍ଵନି –
ସବୁଦିନ ପାଇଁ ସତ୍ତା ମୋ’ ତହିଁ ଦେବି ମୁଁ ହଜାଇ 
ଜଗତ ମିଥ୍ୟା ଜାଣି | -୭୯ (୧-୨ ଡିସେମ୍ବର ୧୪)

-:ସମାପ୍ତ:-
ଶ୍ରୀ ହରିଶରଣମ୍

 


Rate this content
Log in