ଦୋଳି
ଦୋଳି
ମଝି ଖଞ୍ଜାରେ ପୁରୁଣା ଲୁଗାର ଦୋଳି ।
କୁନିପୁଅ ଝୁଲୁଚି,
ଳାଳ ସର୍ ସର୍
ପାଟିରେ ପାଞ୍ଚ ଆଙ୍ଗୁଳି ।
ବିନା ଦୋଳିରେ ଝୁଲୁଚି ବୋଉ,
ସକାଳୁ ରାତି,ରାତିରୁ ସକାଳ
ପରବାୟ ନାହିଁ ,
ଲୁଗା ଭିଡିଚି ଅଣ୍ଟାରେ ।
ବାପା ଭାରି ମଜଭୂତ୍,
ତାଙ୍କ ହାତ ବନ୍ଧା ପଟା ଦୋଳି
ଏବେ ଆକାଶ ମୁହାଁ ।
ବାପା ତଥାପି ଝୁଲୁଚନ୍ତି
ଦାଣ୍ଡ ଦୋଳିରେ, କର୍ତ୍ତବ୍ୟ ଦାୟରେ ।
ଜଞ୍ଜାଳ ଶୂନ୍ୟ, ମସ୍ତ ମୌଲା ବାୟା
ଝୁଲୁଛି ତାଳଗଛ ଅଗରେ ।
ମିଥିଳାୟାଂ ପ୍ରଦଗ୍ଧ୍ୟା ନ ମେ ଲାଭ
ନ ମେ କ୍ଷତି' ନ୍ୟାୟରେ ।
ତ୍ରିଶଙ୍କୁ ନା ସ୍ବର୍ଗରେ,
ନା ମର୍ତ୍ତ୍ୟରେ
ମଝି ବାଟରେ ଭିଜୁଛି
ଶୀତ କାକରରେ,ମେଘନିଦାଘରେ ।
ଦୋଳିରେ ପଟା ନାହିଁ,
ଦଉଡି ନାହିଁ,
ତଥାପି ଦୋଳି ଝୁଲୁଚି
ମାଟିରୁ ଆକାଶ,
ଆକାଶରୁ ମାଟି,
ମାଟିରୁ ଆକାଶ ।