ସୂର୍ଯ୍ୟ ମୁଁ ,ସକଳ ଶକ୍ତିର ଆଧାର
ସୂର୍ଯ୍ୟ ମୁଁ ,ସକଳ ଶକ୍ତିର ଆଧାର
ବାଦଲ ଟା ସିନା ଢାଙ୍କି ଦେଇଥାଏ
କିଛି କ୍ଷଣ ପାଇଁ
ମୋ'ଶୁଭ୍ରାଂଶୁ ଶରୀରକୁ ।
ସୂର୍ଯ୍ୟ ମୁଁ, ସକଳ ଶକ୍ତିର ଆଧାର
ସର୍ବ ଶକ୍ତିମାନ,
ନୁହେଁ ନଶ୍ୱର,ତ୍ରିଶଙ୍କୁ ।
ଅଂଶୁରେ ଅଂଶୁରେ ପ୍ରତିଟି ରେଣୁରେ
ପର୍ଯ୍ୟାପ୍ତ ପୃଥିବୀ,
ଅନନ୍ତ ଅସୀମ ବିଶ୍ୱ ।
ଅନ୍ଧାରୀ ଅକ୍ଷାଂଶ ମୋ'ଗର୍ଭ ରଶ୍ମୀରେ
ମୁହୂର୍ତ୍ତେ ମୁହୂର୍ତ୍ତେ
ଆଲୋକିତ ଅଭ୍ରକଂଶ ।
ଗ୍ରହ ତାରା ଆଉ ନକ୍ଷତ୍ର,ଜ୍ୟୋତିଷ୍କ
ଆଭ୍ୟନ୍ତର, ହୃଦେ
ଦେଇଥାନ୍ତି ସାହଚର୍ଯ୍ୟ ।
ଧୂମ୍ର ଧୂମକେତୁ ଶନି ରାହୁ କେତୁ
ମୋ'ନିୟନ୍ତ୍ରଣରେ
ନିୟନ୍ତ୍ରିତ ବଳବୀର୍ଯ୍ୟ ।
ଅଗିରା ପୁଲ୍ୟସ୍ତି ବଶିଷ୍ଠ ସପ୍ତର୍ଷି
ଧର୍ମଧ୍ୱଜ ଧ୍ରୁବ
ସମସ୍ତେ ମୋ' ଅନ୍ତର୍ଭୁକ୍ତ ।
ଶକ୍ତିରେ ସବଳ ନିଷ୍ଠାରେ ପ୍ରବଳ
କର୍ମେ କର୍ମନିଷ୍ଠ
ଶୁଭ୍ରାଂଶୁ ରେ ଶତଦଳ ।
ହୋଇପାରେ ମୁହିଁ ଶକ୍ତିର ଆଧାର
କରେନି ମୁଁ ଶକ୍ତି
ଅପଚୟ,ଅପକର୍ମ ।
ଅଗ୍ନି ଉଦ୍ଗୀରଣ ଅବା ଭୂମିକମ୍ପ
ରୋପି ପାରନ୍ତିନି
ମୋ'ଲକ୍ଷ୍ୟରେ କ୍ଷତି ଦ୍ରୁମ ।
ରଶ୍ମୀ ଦେଇଚାଲେ ଶୁନ୍ୟ ପ୍ରତ୍ୟାଶାରେ
ରେଣୁରେ ରେଣୁରେ
ନିଜେ ଜଳେ ଅନ୍ୟ ପାଇଁ ।
ଜୀବନେ ଜୀବନେ ମୋ'ରଶ୍ମୀ ସଂଚାରୀ
ନିର୍ବିଘ୍ନେ ନିଜକୁ
ଜାଳିଦିଏ ଅନ୍ୟ ପାଇଁ ।
ଜୀବେ ଉପକାର ମୋ' ସ୍ୱୟଂ ସମ୍ଭାର
ପ୍ରତି ଉପକାର
କରେନି ମୁଁ କେବେ ଆଶା ।
ଆଗେଇ ଚାଲିଛି ଚାଲି ଚାଲୁଥିବି
ନିଜ ସାମର୍ଥ୍ୟରେ
ଅଛି ବିପୁଳ ଭରସା ।
ହେ ବନ୍ଧୁ ମଣିଷ ମୋ' ପ୍ରିୟ ପୀୟୂଷ
ଈଶ୍ୱର ପ୍ରେରିତ
ଜ୍ୟେଷ୍ଠ ଶ୍ରେଷ୍ଠ ବରଦାନ ।
ମୋ'ରଶ୍ମୀ ଆଲୋକେ ଆଲୋକିତ ହୋଇ
କିବା କୁଣ୍ଠାବୋଧ
ବିଧିବାକୁ ମୋ'ବିଜ୍ଞାନ ?
ପର ଉପକାର ନିର୍ଦ୍ବନ୍ଦ୍ୱରେ କର
ଆଶା ରଖ ନାହିଁ
ଉପକାରୀ ପ୍ରତିଦାନ ।
ସେ ମହତ କର୍ମ ସୁଫଳ ଦେବାକୁ
ଖଞ୍ଜା ହୋଇଅଛି
ବିଧାତାଙ୍କ ଦିବ୍ୟ ଦାନ ।