ଭାରି ମନେପଡେ ଅଫେରା ଅତୀତ
ଭାରି ମନେପଡେ ଅଫେରା ଅତୀତ
ସହି ହେଉନି କି ରହି ହେଉନି,
ନା କହି କହି ହେଉଛି, ନା ଭୁଲି ପାରୁଛି ।
ବିଶାଳ ହିମାଳୟ ସଦୃଶ
ଓଜନଦାର ଭରସା,
ସାଗରର ପ୍ରଶସ୍ତ ବକ୍ଷ ପରି ଆତ୍ମବିଶ୍ବାସ,
ଦୂର ଦିଗ୍ ବଳୟର
ମନଲୋଭା ଦୃଶ୍ୟ ଥିଲା ଯୋଡ଼ି ।
କାହାର ଡାହାଣୀ ନଜର
ପଡିଗଲା ବୋଧହୁଏ।
ସୁନ୍ଦର ସୁନେଲି କିରଣ
ଉଭେଇ ଯାଇ ,
ଅଚାନକ ମାଡ଼ି ଆସିଲା
କଳାହାଣ୍ଡିଆ ମେଘ ଖଣ୍ଡ।
ଖୁବ୍ ଜୋରରେ ବତାସ
ଝଡରେ ଉଡିଗଲ
କାହିଁ କେଉଁ ରାଇଜକୁ।
ଆଉ କାହାର ଭଗ୍ନ କୁଡିଆର
ଶ୍ରୀ ବର୍ଦ୍ଧନ କଲ।
ହୁଏତ ଇଚ୍ଛା ବା ଅନିଛାରେ,
ହୋଇଗଲ ବନ୍ଦୀ।
କେବେବି ଚେଷ୍ଟା କରିନ ଫେରି
ଆସିବାକୁ ଅତୀତର ସେଇ
ପୁରୁଣା ଦ୍ଵୀପକୁ,
ଦେଖିବାକୁ ଚାହିଁ ନାହଁ
ସାଥି ହରା କ୍ଷତାକ୍ତ ବିହଙ୍ଗକୁ,
କି, ଭାବିନାହଁ କେବେ ସେହି
ଅଭୁଲା ରୋମାଞ୍ଚିତ ମୁହୂର୍ତ୍ତକୁ।
ଯାହା ଗଣ୍ଠିଧନ ହୋଇଛି ସେହି
ବିହଙ୍ଗ ଟିର,
ସାରାଜୀବନ ର ସାଇତା ମୁକୁତା,
ଅପ୍ରାପ୍ତି ର ପ୍ରାପ୍ତି,
ଅମୂଲ ମୂଲ।
ଶ୍ରେଷ୍ଠ ସମ୍ପତ୍ତି।
ସତ କୁହ,
କେବେ କଣ ମନେପଡେ ନାହିଁ
ଲୁଚେଇ ଲୁଚେଇ ସ୍ମୃତି ସବୁ
ଜୀବନ୍ତ ହୋଇନାହିଁ,
ଝରିପଡେ ନାହିଁ ସୁଖଦ ମୁହୂର୍ତ୍ତ ପାଇଁ
ଦୁଇଟୋପା ଗଙ୍ଗା ଯମୁନାର ଧାରା।
ଆତ୍ମା ବିଳପି କହି ନାହିଁ କି
ଫେରି ଆସନ୍ତା ନି ସେଇ
ଅଫେରା ଅତୀତ।
ପ୍ରଣତି ମହାପାତ୍ର
ବାଲେଶ୍ଵର।