କବିତାର ଆରପାଖ - ୧୪
କବିତାର ଆରପାଖ - ୧୪
ବର୍ଷା କଣ?
ଗୋଟେ କବିତା
ଗୋଟେ ଅନୁଭୂତି
ଶିହରଣ, ପାଗ, ପାଗ, ପାଗ
ଆଉ ଗୋଟାଏ କବିତା!
ନା ବର୍ଷା
ଚିମୁଟାଏ ଉଷ୍ମ ଆର୍ଦ୍ରତା!
ବର୍ଷା କଣ?
ମେଘ ମଲ୍ଲାର
ନା ଆକାଶୀ ରଙ୍ଗର
କଳା କଳେବର
ଆଜେବାଜେ କାଗଜର ଡଙ୍ଗା
ନା ପ୍ରେମିକ ମାଟିର!
ବର୍ଷା କଣ?
ଶ୍ବାସରୁଦ୍ଧ ପ୍ରେମର
ଅନାବନା ଅପଢା ଅକ୍ଷର,
ନା ନିଧିବୁଢା ବାଡିପଟେ
ଚାଲିଥିବା ଗୁପ୍ତ ବିଚାର,
ଗୁମାଳିଆ ପଣତର
ଗୁପ୍ତ ସମର୍ପଣ,
ନା ବର୍ଷା
ଅଘୋଷିତ ଯୌବନର
ସ୍ମୃତି ରୋମନ୍ଥନ!
କଣ ଏ ବର୍ଷା!
ପାପୁଲିରୁ ଖସିପଡେ
ପଣତରେ ଘର ତୋଳେ
ଆଖିରୁ ଝରିଆସି
ପଡିରହେ ଓଠ ପାଖୁଡାରେ!
ସହରରେ ବର୍ଷା ଗୋଟେ ଚିଆଁ
ଗାଁ ରେ ସେ ନିଆଁ ଆଉ ନିଆଁ,
କୁଟାଛତୁ ଛତା ଧରି
ପାଣିର ଫୋଟକା
ଫାଟୁଫାଟୁ ପହଁଚି ବି ଯାଏ
ଦୂର ସମୁଦ୍ରରେ
ମଲ୍ଲୀଫୁଲ ବାସ୍ନା ଆଉ
ଟଗର ସାଙ୍ଗରେ।
ପଞ୍ଚମ ଶ୍ରେଣୀର ପାଠ
ଡଙ୍ଗା ହୋଇ ବୋହିଆଣେ
କେତେକେତେ ଡାଳଚିନିର ମିଠା
ମୁଣ୍ଡ ଟେକି
କୁଆଁ ସବୁଜିମା
ଗପୁଥାଏ ଲଙ୍ଗଳର କଥା!
ବର୍ଷା କଣ!
ବିରହ
ମାୟାମୋହ
ଏକ ଫେନିଳ ସଂଶୟ!!
ଅନୀଲ କୁମାର ପାଢୀ