ବାପା
ବାପା
॥ ବାପା ॥
ବାପା !
ଯାହା ଯାହା କହିଥିଲ
ମନେ ରଖି ସବୁ କରୁଛି,
କିଛି ହେଲାପରି ଲାଗୁନି,
ଯେମିତି କାଠ ଖଞ୍ଜିଲେ ନିଆଁ ଧରିବ
କହିଥିଲ,ଖଞ୍ଜୁଛି,ନିଆଁ ଧରୁନି
ଧୂଆଁରେ ଆଖି ପୋଡୁଛି,ଜଳୁନି ।
କହିଥିଲ ‐
ସରକାର କାମ କରୁଛୁ
କାହାଠୁ ଟଙ୍କାଏ ନବୁନି
କି ଛଣ୍ଟାକିଏ ଘିଅ ଦବୁନି
ନଉନି କି ଦଉନି,ହାଡେ ହାଡେ
ପାଳୁଛି,କାହିଁ ବାପା,ସୁନାମ ତ ମିଳୁନି,
ବରଂ ସମସ୍ତେ କ'ଣ କହୁଛନ୍ତି ‐
ଏ ରାଢ ଥିଲାଯାକେ କାହାର କିଛି ହବନି ।
ତମେ କହିଥିଲ ‐
ଲୁହା ଦେଖି ପାଣି ଦବୁ,
ଦଉଚି,ଅଫିସର୍ ର ଲୁହାପରି
କଥାକୁ ତା' ପାଣି,ସହକର୍ମୀଙ୍କ ଚିକ୍କଣିଆ କଥାକୁ
ପତଲା ସ୍ବଚ୍ଛ ପାଣି, ଅଧସ୍ତନଙ୍କ
ଖୁମାଣକୁ ତ ଉଚିତ ମୁତାବକ ହେମାଳପାଣି
ଦେଲାପରେ ବି ବାପା,ମୋତେ ଜମା
ଶୋଷ ନ ଥିଲାବେଳେ
ସେମାନଙ୍କ ତଣ୍ଟି କେମିତି ତଥାପି
ଶୁଖିଲା ଶୁଖିଲା ଲାଗୁଛି,ମୋତେ ଲାଗୁଚି
ମୁଁ ଯେମିତି ଶନିଙ୍କ ଚେୟାର ମାଡିବସିଚି ।
ତୁମେ ତ କହିଲ ‐
ମାଗମାଗୁଣିଙ୍କୁ ଫେରେଇବୁନି
ଦୁଃଖୀରଙ୍କୀଙ୍କ ପେଟ ବୁଝିବୁ,
ସବୁ ମନେଅଛି,ହେଲେ ବୁଝିପାରୁନି,
ଭୋଗପାଇଁ ଲୋକ ମନ୍ଦିର ନ ଯାଇ
ମୋ ପାଖରେ କାହିଁକି ଏତେ ହାଉଯାଉ
ଆକ୍ବାଗାର୍ଡରେ ଥଣ୍ଡା ପାଣି ଥାଇ ବି
ଚାନ୍ଦା ମାଗି ପାଣି ପିଇବାକୁ ଏତେ ଝୁଙ୍କ୍
କୋଉ ଜଣକ ବା ଦୁଃଖୀ ଯେ
କାହା ସାର୍ଟଟେକି ତାଙ୍କ ପେଟ ପରଖିବି !
ତମ କଥାରେ ବଡ ଦିକ୍ ଦାର୍
ହେଲିଣି ବାପା,କାଠ ଯେମିତି ଖଞ୍ଜିଲେ ବି
କାହା ମୁହଁରେ ଖୁସିର ନିଆଁ ଜମା ଦିଶୁନି !
ମୁଚୁକୁନ୍ଦିଆ ହସିବନି ତ ଆଉକ'ଣ
ଥିଲେ ସିନା ଦେଖନ୍ତ,ତମେ ତ ଏଇନେ ସ୍ବର୍ଗରେ,
ମୋର ଗୋଟିଏପାଦ ଅଫିସ୍ ଭିତରେ ତ
କେମିତି ଆରପାଦ ବାହାରେ
ସତରେ ବାପା,ମୋଟେ ଇଚ୍ଛା ହଉନି
ତମକଥା ମାନିବାକୁ ଏ ଘଣ୍ଟାଚକଟାରେ !