ସ୍ଵାଭିମାନର ଚିରାଏ ଆଲୁଅ
ସ୍ଵାଭିମାନର ଚିରାଏ ଆଲୁଅ
ମୁହଁରେ ବୟସର ଦାଗ
ଆଖିରେ ଅସଂଖ୍ୟ ଚିନ୍ତା ଆଉ ଚେତନାର ଭିଡ
ନୁଖୁରା ମୁଣ୍ଡରେ ବିକ୍ଷିପ୍ତ କେଶ ରାଶି
ଫୁଙ୍ଗୁଳା ଶରୀରରେ
ଚାରି ଆଙ୍ଗୁଳିର ଗୋଟେ ଛିଣ୍ଡା ଧୋତି
ଆଉ ପାଦରେ ଗୋଟେ ଛିଣ୍ଡା ଚପଲ
ବାସ ଏତିକି ତ ତାର ଆୟୁଧ
ସବୁ ଦିନ ପରି ଆଜିବି ।
ଫସଲ ସବୁ ମାଟିରେ ମାଟି ହେବା ପରଠୁ
ସେମିତି ବସି ରୁହେ ସେଇ ଚାଳ ଘର
ମାଟି ପିଣ୍ଡା ଉପରେ
ଅତି ନିରୀହ ଆଖିରେ
ଆକାଶକୁ ଚାହିଁ ରହେ
ଅଜଣା କୋଉ ଏକ ସ୍ଵପ୍ନରେ
ସବୁ କିଛି ଜାଣି ବି ଅଜଣା ସାଜେ
ଶୁଣି ବି ନ ଶୁଣିବାର ଅଭିନୟ କରେ
ସତେ କି ସେ ତା ସ୍ଵପ୍ନ ଦୁନିଆରେ
ଜଡରୁ ଜଡ ପାଲଟୁ ଥାଏ
ବାହ୍ୟ ଜଗତରୁ ଅନ୍ତଃ ଜଗତକୁ
ପ୍ରବେଶ କରୁଥାଏ ଧୀରେ ଧୀରେ ।
ପୁଣି ପ୍ରକୃତିସ୍ଥ ହୁଏ
ଦହନା ବୋଉର ଡାକରେ
ଭୁଷକିନା ଉଠିପଡେ ସତନ୍ଦ୍ର ଆଖିରେ
ସବୁ ଦମ୍ଭ ଏକାଠି କରି
ସେଇ ଧଳା ଜାମା ଆଉ କଳା କୋଟ ପିନ୍ଧା ବାବୁମାନଙ୍କୁ
ଗୋଡ ଧରି ନେହୁରା ହେବାର ସ୍ଥିର ନିଷ୍ପତ୍ତି ନିଏ ।
ହେଲେ ପାରେନି
ପୁଣି ଫେରି ଆସେ
ପୂର୍ବବତ୍ ସେଇ ପୂର୍ବାବସ୍ଥାକୁ
ସ୍ଵାଭିମାନର ଚିରାଏ ଆଲୁଅରେ
ନିଜର ଅନ୍ଧାର ସଂସାରକୁ
ଆଲୁଅ ଦେବାକୁ ଉପାୟ କରେ ।
ହେଲେ କରିବ କଣ ?
କିଏ ବା ତାକୁ ଚିହ୍ନେ ଏ ବିଶାଳ ପୃଥିବୀରେ
କ’ଣ ବା ତାର ପରିଚୟ ?
ନିଜକୁ ଅନେକ ଥର ପଚାରେ
ହେଲେ ଖୋଜି ପାଏନା
ଶେଷରେ ମନେ ପଡିଯାଏ
ମାତ୍ର ସେଇ ଗୋଟିଏ ପଦ
ଯାହା ଶୁଣି ଥିଲା ନେତାଙ୍କ ଭୋଟ ପ୍ରଚାରରେ
ପିଲାଙ୍କ ପ୍ରଭାତ ଫେରିରେ
“ ଜୟ ଜବାନ ଜୟ କିଷାଣ “
ହେଲେ ସେ ପ୍ରଶ୍ନିଳ
ଆଜି ସେ ସେଇ କିଷାଣ ନା ଆଉ କିଏ ??